Latest Odisha News

ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତଙ୍କ ନାହିଁ ଭୂମିକା; ସାଂସଦ ଅପରାଜିତାଙ୍କ ହାତରେ ଲାଗିଲା ସିସିଟିଭି ଫୁଟେଜ୍

ଭୁବନେଶ୍ବର: ‘ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ କୌଣସି ଭୂମିକା ନାହିଁ । ଦୁଇ ତିନି ଘଣ୍ଟା ଭିତରେ ସାର୍ବଜନୀନ ହେବ ସିସିଟିଭି ଫୁଟେଜ୍ ।’

କିଛି ଏମିତି କହି ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ବର୍ଷିଛନ୍ତି ସାଂସଦ ଅପରାଜିତା ମହାନ୍ତି । ଆଜି ଏନେଇ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଅପରାଜିତା । ସିସିଟିଭି ଯାଞ୍ଚ ନ କରାଯାଇ ଜଣେ ବିଧାୟକଙ୍କୁ ଗିରଫ କରାଗଲା କେମିତି?

ପ୍ରଶାନ୍ତ ଜଗଦ୍ଦେବଙ୍କର ଏଥିରେ କୌଣସି ଭୂମିକା ନାହିଁ । ସିସିଟିଭି ଫୁଟେଜ୍ ମୋ ହସ୍ତଗତ ହୋଇଛି ବୋଲି କହିଛନ୍ତି ଅପରାଜିତା । ଏହା ସହିତ ସେ ଏହା ବି କହିଛନ୍ତି ଯେ ଘଟଣା ପରେ ସେ ବୁଥ୍ ମଧ୍ୟ ଯାଇଥିଲେ ହେଲେ ଜଣେ ବି ସେଠି ପ୍ରଶାନ୍ତଙ୍କ ବିରୋଧରେ ଅଭିଯୋଗ କରିନଥିଲେ । ସିସିଟିଭି ଯାଞ୍ଚ ନକରି ଜଣେ ବିଧାୟକଙ୍କୁ ଗିରଫ କରାଗଲା । ମୋ ପାଖରେ ଘଟଣାର ଫୁଟେଜ୍ ପହଞ୍ଚିଛି । ଦୁଇ ତିନି ଘଣ୍ଟା ଭିତରେ ଏହାକୁ ସାର୍ବଜନୀନ କରାଯିବ । ତା ପରେ ସମସ୍ତ ସତ୍ୟତା ଜଣାପଡିବ ।

ଖାଲି ସେତିକି ନୁହେଁ, ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଶାସକ ଦଳର ଏକପ୍ରକାର ଷଡଯନ୍ତ୍ର । ଗତକାଲି ଡ୍ରାଇଭର ବନମାଳୀର ବୟାନ ଓ ଏହାସହିତ ମୋ ପାଖରେ ଜଣେ ବିଜେଡି କର୍ମୀଙ୍କର ଅଡିଓ ମଧ୍ୟ ରହିଛି । ଯାହା ସ୍ପଷ୍ଟ ବ୍ୟକ୍ତ କରୁଛି ଯେ ସଂପୃକ୍ତ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ କୌଣସି ଭୂମିକା ନାହିଁ ।

ଆହୁରି ମଧ୍ୟ ରାଜ୍ୟ ସରକାର ପାତରଅନ୍ତର କରୁଛନ୍ତି ବୋଲି କହିଛନ୍ତି ଅପରାଜିତା । ସେ ପ୍ରଶ୍ନ କରିଛନ୍ତି, ଛେଣ୍ଡିପଦା ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଲେ ? ଯିଏ ବାସ୍ତବରେ ଗଣ୍ଡଗୋଳ କରିଥିଲେ । ତାଙ୍କ ପ୍ରତି ଗୃହମନ୍ତ୍ରୀ କି ପଦକ୍ଷେପ ନେଲେ ? ଏହା କେଉଁ ପ୍ରକାର ଆଇନ ବ୍ୟବସ୍ଥା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସେ କହିଛନ୍ତି, ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଦାୟୀ । ଯିଏ ତୃତୀୟ ମହଲାରେ ବସି ଅଫିସରଙ୍କୁ ଅର୍ଡର ଦେଉଛନ୍ତି  ।

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ଭୋଟିଂ ସମୟରେ ଇଭିଏମ ଭଙ୍ଗାରୁଜା ମାମଲାକୁ ନେଇ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ । ଏହାସହିତ  ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ମଧ୍ୟ ଆକ୍ରମଣ କରିବାର ଅଭିଯୋଗ ହୋଇଥିଲା। ଯାହାପରେ ଅଧାରାସ୍ତରୁ ପୋଲିସ ତାଙ୍କୁ ଅଟକାଇ ଗିରଫ କରିଥିଲା ।

Comments are closed.