ପୁରୀ: ଆଜି ପ୍ରଥମାଷ୍ଟମୀ। ଓଡ଼ିଆ ଘରର ଆଉ ଏକ ପରମ୍ପରା। ଆଜିର ଦିନରେ ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠାର ମହକ। ବାପା-ମାଆଙ୍କ ପ୍ରଥମ ସନ୍ତାନ ନୂଆ ପିନ୍ଧି ପୋଢୁଆ ହେଉଛନ୍ତି। ଘରର ଜ୍ୟେଷ୍ଠଙ୍କୁ ବନ୍ଦାପନା କରାଯାଉଛି।
ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ବିଧି ପରମ୍ପରା ଅନୁସାରେ ଆଜି ମାର୍ଗଶୀର କୃଷ୍ଣ ଅଷ୍ଟମୀ ତିଥିଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ତପ ସରିବା ପରେ ୩ ବାଡ଼ରେ ମଇଲମ କରାଯାଇ ପୂଜାପଣ୍ତା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ ।ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପରେ ତିନି ବାଡ଼ରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖାଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ।
ମାର୍ଗଶୀର ମାସର ଅଷ୍ଟମୀ କୃଷ୍ଣପକ୍ଷରେ ଏହି ପର୍ବ ପଡ଼ିଥାଏ। ଘରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯିବା ସହ ସୁସ୍ୱାଦୁ ଏଣ୍ଡୁରୀ ପିଠା ପ୍ରସ୍ତୁତି ହୋଇଥାଏ। ଏହି ଦିନ ନୂଆ ବିରି ଓ ଅରୁଆ ଚାଉଳରେ ଏଣ୍ଡୁରି ପିଠା କରାଯାଏ। ହଳଦୀ ପତର ଭିତରେ ଚାଉଳ ଚୁନାରେ ପ୍ରସ୍ତୁତ ପୀଠଉକୁ ସ୍ୱତନ୍ତ୍ର ପଦ୍ଧତିରେ ପାତ୍ର ଭିତରେ ରଖି ପିଠା ତିଆରି କରାଯାଏ। ପିଠାର ସ୍ୱାଦ ବଢ଼ାଇବା ନିମନ୍ତେ ଏହା ଭିତରେ ନଡ଼ିଆ, ଗୁଡ଼ କିମ୍ବା ଛେନାର ପୁର ଦିଆଯାଏ।
Comments are closed.