Latest Odisha News

BREAKING NEWS

ପଢୁଆଁ ହେବେ ମହାପ୍ରଭୁ, ନିଆଳୀ ମାଧବ ମନ୍ଦିରରୁ ଆସିଲା ପ୍ରଥମାଷ୍ଟମୀ ଭାର

ପୁରୀ: ରାତି ପାହିଲେ ପ୍ରଥମାଷ୍ଟମୀ । ଉତ୍କଳୀୟ ଇତିହାସରେ ପ୍ରଥମାଷ୍ଟମୀର ଏକ ସ୍ୱତନ୍ତ୍ରତା ଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଜଗତସିଂହପୁର ଜିଲ୍ଲା ନିଆଳି ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର l ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ନିଆଳି ମାଧବ ମନ୍ଦିରରୁ ମାଧବା ନନ୍ଦ ଜୀଉ ବିକାଶ ପରିଷଦ ପକ୍ଷରୁ ପ୍ରଥମାଷ୍ଟମୀ ଅବସରରେ ନୂତନ ପଢୁଆଁ ବସ୍ତ୍ର ସହ ଫୁଲ, ଫଳ, ପାନ ଇତ୍ୟାଦି ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲାଗି କରିବା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି l ନିଆଳି ମାଧବନନ୍ଦ ଜୀଉ ମନ୍ଦିର ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କୁ ମାମୁଁ ଘର ବୋଲି ଦାବୀ କରାଯାଇଛି l ଶ୍ରୀମନ୍ଦିର ସତ୍ୱଲିପି ଓ ଇତିହାସରେ ଶ୍ରୀ ଜଗନ୍ନାଥଙ୍କର ମାମୁଁ ଘର ଥିବା ଦୃଢୋକ୍ତିର ସହ ଗବେଷକ ମତ ରଖିଥିବା ବେଳେ ମାଦଳା ପାଞ୍ଜିରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ଥିବା କୁହାଯାଇଛି ।

 

ଅନ୍ୟପଟେ ମାଧବାନନ୍ଦ ଜୀଉ ପରିଷଦ କିନ୍ତୁ ଦାବିରଖିଛି ଯେ ଏହା ହେଉଛି ମହାପ୍ରଭୁଙ୍କର ମାମୁଁଘର ବୋଲି l ଇତିହାସ ଓ ସଂସ୍କୃତିକୁ କଦର୍ଥ କରି ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି କରୁଥିବା ପରିଷଦର କର୍ମକର୍ତ୍ତା ଯୁକ୍ତି ରଖିଛନ୍ତି l ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଳିମାଧବ ମନ୍ଦିରରରୁ ଆସିଥିବା ପଢୁଆଁ ବସ୍ତ୍ର ଓ ଭାରକୁ ଦାନ ହିସାବ ରେ ଗ୍ରହଣ କରାଯାଇଛି l

ପ୍ରାଚୀ ନଦୀ ତଟରେ ଥିବା ନିଆଳି ମାଧବ ମନ୍ଦିରରୁ ଭଜନ ଜଣାଣ ଓ ସଂକୀର୍ତ୍ତନ ମାଧ୍ୟମରେ ଵିଶାଳ ପଦଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବାପରେ ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲା l ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘରକୁ ନେଇ ପ୍ରତିବର୍ଷ ଏହି ଭାର ଯୋଗୁଁ ବିଭିନ୍ନ ସମୟରେ ବିବାଦ ଉପୁଜୁଥିବା ବେଳେ ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି l

 

ସେପଟେ ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବାବେଳେ ଏହାକୁ ବିଶ୍ଳେଷଣ କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୋଟିଏ ପଟେ ଆସ୍ଥା ଓ ବିଶ୍ୱାସ, ଅନ୍ୟପଟେ ପରମ୍ପରା ଓ ଶାସ୍ତ୍ରୀୟ ମତରେ ଛନ୍ଦୀ ହୋଇଛି ମହାପ୍ରଭୁଙ୍କ ପଢୁଆଁ ଅଷ୍ଟମୀ ଭାର l ତେବେ ଦେଖାଯାଉ ଶ୍ରୀମନ୍ଦିର ପ୍ରଶାସନ କିଭଳି ଏହାର ବିଶ୍ଳେଷଣ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣୁଛି । ତେବେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରଯାଇଥିବା ଏହି ପଢୁଆଁ ଭାର ମହାପ୍ରଭୁଙ୍କୁ ସମର୍ପଣ କରାଯିବ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ l

 

Leave A Reply

Your email address will not be published.