ଭୁବନେଶ୍ୱର: ଓଡିଶାର ଉଦୀୟମାନ ଟେନିସ ଖେଳାଳି ପ୍ରତ୍ୟୁଷ ମହାନ୍ତି ଶୁକ୍ରବାର କ୍ୟାରିୟରର ପ୍ରଥମ ଅଲ ଇଣ୍ଡିଆ ଟେନିସ ଆସୋସିଏଶନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ କର୍ଣ୍ଣାଟକର ଚନ୍ଦନ ଶିଭରାଜଙ୍କୁ ୪-୬, ୭-୫, ୬-୨ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟ ହାରିବା ପରେ ପ୍ରତ୍ୟୁଷ ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ସେଟକୁ ଜିତି ମ୍ୟାଚକୁ ରୋମାଂଚକ ସ୍ଥିତିରେ ପଂହଚାଇ ଦେଇଥିଲେ । ନିର୍ଣ୍ଣାୟକ ମୁକାବିଲାରେ ପ୍ରତ୍ୟୁଷ ବାଜି ମାରିଥିଲେ । ପୂର୍ବରୁ ୨୨ ବର୍ଷୀୟ ଏହି ପ୍ରତିଭାବାନ ଖେଳାଳି କ୍ୱାର୍ଟର ଫାଇନାଲରେ ପଶ୍ଚିମବଙ୍ଗର ରୋହନ ମଣ୍ଡଳଙ୍କୁ ୬-୩ ଓ ୬-୪ ସେଟରେ ଏବଂ ସେମିଫାଇନାଲରେ ଶୌନକ ଚାଟାର୍ଜୀଙ୍କ ୬-୩, ୬-୨ରେ ହରାଇଥିଲେ ।
ଏହି ବିଜୟ ଯୋଗୁ ସେ ୨୦ ପଂଏଟ ହାସଲ କରିଛନ୍ତି । ଆଇଟା ର୍ୟାଙ୍କିଙ୍ଗରେ ସେ ଏବେ ୬୦ରୁ ୫୦ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ବିଜୟ ମୋତେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମ୍ୟାଚ ପରେ ପ୍ରତ୍ୟୁଷ କହିଛନ୍ତି । ସେ ଏବେ ଭୁବନେଶ୍ୱରର ଆଲଟେଭଲ-କିଟ ଆଲେକଜାଣ୍ଡର ୱାସ୍କେ ଟେନିସ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି । ବିଭିନ୍ନ ବୟସ ବର୍ଗରେ ସେ ୮ରୁ ଅଧିକ ଟାଇଟଲ ହାସଲ କରିଛନ୍ତି । ଏସଏସ ଟେନିସ ଏକାଡେମୀରେ ଶୁଭ୍ରାଂଶୁ ଚରଣ ଷଡଙ୍ଗୀଙ୍କ ନିକଟରୁ ସେ ପ୍ରଥମେ ପ୍ରଶିକ୍ଷଣ ନେଇଥିଲେ ।