ଭୁବନେଶ୍ବର: ସରିଯାଇଛି ୧୮ ତମ ପ୍ରବାସୀ ଭାରତୀୟ ସମ୍ମେଳନୀ । ବାହୁଡିଛନ୍ତି ପ୍ରବାସୀ ଅତିଥି । ହେଲେ ସରିନି ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜିଠୁ ଦୁଇ ଦିନ ଧରି ଏହାର ମଜା ଉଠାଇପାରିବେ ସାଧାରଣ ଲୋକେ । ଯାହା ସଂପୂର୍ଣ୍ଣ ଦେୟମୁକ୍ତ ଅଟେ । ଏଥିପାଇଁ ଶନିବାର ଦିନ ୧୦ଟାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିଥିବା ବେଳେ ଛୁଟିଛି ଲୋକଙ୍କ ସୁଅ । ଜନତା ମିଇଦାନରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ସାଧାରଣ ଲୋକେ ।
ତେବେ ଏହା ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟା ଯାଏ ଏହି ପ୍ରଦର୍ଶନୀ ଖୋଲା ରହିବ । ଏହି ସମୟ ମଧ୍ୟରେ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ପ୍ରବାସୀ ଭାରତୀୟ ସମ୍ମେଳନୀ ପାଇଁ ଆହୋଜିତ ହୋଇଥିବା ମେଗା କାର୍ଯ୍ୟକ୍ରମ ପ୍ରଦର୍ଶନୀ ବୁଲି ଦେଖିପାରିବେ । ଯାହା ସମ୍ପୂର୍ଣ୍ଣ ଦେୟମୁକ୍ତ । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଗ୍ୟାଲେରୀର ରହିଥିବା ଷ୍ଟଲ ବୁଲି ଦେଖି ପାରିବେ ବୋଲି ଗତକାଲି ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନରେ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ଯ୍ୟଟନରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ଜିନିଷ ରହିଥିବାରୁ ଏହି ପ୍ରଦର୍ଶନୀ ସମସ୍ତେ ଦେଖିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ ମତ ରଖିଥିଲେ ।
ପୂର୍ବରୁ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ନେଇ ୧୦ ତାରିଖରେ ଏହି ସମ୍ମେଳନୀ ଶେଷ ହେବା ପରେ ୧୧ ଏବଂ ୧୨ ତାରିଖ ଦୁଇ ଦିନ ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶନୀ ଖୋଲାରହିବା ନେଇ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।