Latest Odisha News

BREAKING NEWS

ପାତ୍ରପୁର ବ୍ଲକରେ ଦୋଳାରେ ମେଡ଼ିକାଲ ଗଲେ ଗର୍ଭବତୀ

ବ୍ରହ୍ମପୁର: ଗଞ୍ଜାମ‌ରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଆଉ ଜଣେ ଗର୍ଭବତୀଙ୍କୁ କୋଡ଼ିଏ କିଲୋମିଟରରୁ ଅଧିକ ରାସ୍ତା ଦୋଳାରେ ବୋହି ଜଙ୍ଗଲ ରାସ୍ତାରେ ଦୁଇଟି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବା ପରେ ଆମ୍ବୁଲାନ୍ସରେ ମେଡ଼ିକାଲ ନିଆଗଲା। ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଦୁର୍ଗମ କୁସମଳା ଗ୍ରାମରେ ଏଭଳି ଘଟଣା ବୁଧବାର ଦେଖିବାକୁ ମିଳିଛି ।

ଗ୍ରାମର କାମରାଜୁ ଶବରଙ୍କ ପତ୍ନୀ ଗୀତା ଶବରଙ୍କ ତିନିଦିନ ହେଲା ପ୍ରସବ ଯନ୍ତ୍ରଣା ଲାଗି ରହିଥିଲା । ଗାଁଟି ପାହାଡ଼ ଉପରେ ଥିବା ଯୋଗୁ ତଳକୁ ମୁଖ୍ୟ ରାସ୍ତାରେ ପହଞ୍ଚିଲା ବେଳକୁ ପ୍ରାୟ ୨୦ କିମି ଦୂରତା ହୋଇଯାଉଛି । ଏଣୁ ପୂର୍ବରୁ ଏହି ଗାଁର ମହିଳାମାନେ ପ୍ରସବ ପାଇଁ କେବେ ମେଡ଼ିକାଲକୁ ଯାଆନ୍ତି ନାହିଁ ।

ତେବେ ଗୀତାଙ୍କ ପ୍ରସବ ଯନ୍ତ୍ରଣା ବଢ଼ି ଚାଲିଲା । ସ୍ଥାନୀୟ ଜଣେ ଜନ ପ୍ରତିନିଧି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁ ପାଖକୁ ଯିବା ସମ୍ଭବ ନୁହଁ । ବରଂ ନିକଟସ୍ଥ ଆନ୍ଧ୍ରପ୍ରଦେଶର କୁରୁଡ଼ାଲ ଗାଁ ଯାଏଁ ମହିଳାଙ୍କୁ ଆଣିବା ପାଇଁ କର୍ମଚାରୀ ଜଣକ କହିଥିଲେ। ଗୀତାଙ୍କୁ କେତେକ ଗ୍ରାମବାସୀ ଦୋଳାରେ ଆଣିଥିଲେ ।

ଦୁର୍ଗମ ପାହାଡ଼ିଆ ରାସ୍ତାରେ ପ୍ରାୟ ୨୦ କିମି ଚାଲିବା ସହ ଦୁଇଥର ମହେନ୍ଦ୍ର ତନୟ ନଦୀକୁ ପାର କରିବାକୁ ପଡ଼ିଥିଲା । ଶେଷରେ ଆନ୍ଧ୍ରପ୍ରଦେଶର କୁରୁଡ଼ାଲ ପାଖରେ ପହଞ୍ଚିଥିଲେ । ସେଠାରୁ ଆମ୍ବୁଲାନ୍ସରେ ଆନ୍ଧ୍ରପ୍ରଦେଶର ରାସ୍ତାରେ ଘାଟିମୁକୁନ୍ଦପୁର ହୋଇ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚା ଯାଇଥିଲା ।

ସୂଚନାଯୋଗ୍ୟ, ଗତ ରବିବାର ପାତ୍ରପୁର ବ୍ଲକର ଦୁର୍ଗମ ବୁରାତାଲ ପଞ୍ଚାୟତର ଗୁଡ଼ିପଦର ଗ୍ରାମରୁ ଜଣେ ଗର୍ଭବତୀଙ୍କୁ ସାତ କିଲୋମିଟର ଦୋଳାରେ ବୋହି ନଦୀ ପାର କରିବା ପରେ ଆମ୍ବୁଲାନ୍ସରେ ମେଡ଼ିକାଲକୁ ନିଆଯାଇଥିଲା । ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.