କଳାହାଣ୍ଡି: ଗଣମାଧ୍ୟମର ବାରମ୍ବାର ରିପୋର୍ଟିଂ, ଅନେକ ଆଲୋଚନା ସମାଲୋଚନା ପରେ ବି ସୁଧୁରିପାରୁନି ରାଜ୍ୟର ଉପାନ୍ତ ଜିଲ୍ଲାମାନଙ୍କର ସ୍ଥିତି। କଳାହାଣ୍ଡି ଜିଲ୍ଲାର ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଖଟିଆରେ ବୁହା ହେଇ ଆଶିଲେ ଗର୍ଭବତୀ ମହିଳା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗ୍ରାମ ପଞ୍ଚାୟତ ଅଧିନ ରାଣିପଦର ଗ୍ରାମର ଉପଗ୍ରାମ ଖମନପଡାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଏହି ଗାଁର ଭୋଳାନାଥ ଗଉଡଙ୍କ ସ୍ତ୍ରୀ ନନ୍ଦିନୀ ଗଉଡ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତୁରନ୍ତ ଅମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ଗାଁକୁ ଯାନବାହନ ଯିବାପାଇଁ ସୁବିଧା ନ ଥିବାରୁ ଆମ୍ବୁଲାନ୍ସଟି ଯାଇପାରି ନଥିଲା। ଆମ୍ବୁଲାନ୍ସ ବାଟରେ ବାଧକ ସାଜିଥିଲା ଇନ୍ଦ୍ରାବତୀ ଏବଂ ବାଲିଯୋର୍ ନଦୀ। ନଦୀ ଉପରେ ପୋଲଟେ ନଥିବାରୁ ଆମ୍ବୁଲାନ୍ସ ଗାଁ ଠୁ ପ୍ରାୟ ଦେଢ଼ କିଲୋମିଟର ଦୂର ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାରେ ଅପେକ୍ଷା କରି ରହିଥିଲା।
ଶେଷରେ ଗାଁ ଲୋକଙ୍କ ସହଯୋଗରେ ଗର୍ଭବତୀ ସ୍ତ୍ରୀଙ୍କୁ ପଟାପୋଲ ଦେଇ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଅଣାଯାଇଥିଲା। ଏହାପରେ ଅମ୍ବୁଲାନ୍ସରେ ଯୋଗେ ନନ୍ଦିନୀ ଗଉଡଙ୍କୁ ଆଣି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ନନ୍ଦିନୀଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।
ନଦୀରେ ପୋଲ ନାହିଁ କି ଗାଁକୁ ରାସ୍ତା ତିଆରି ହୋଇପାରୁନି। ଏଥିପାଇଁ ଗ୍ରାମବାସୀମାନେ ନିଜେ ପରିଶ୍ରମ କରି ଏକ ପଟା ପୋଲ ତିଆରି କରିଛନ୍ତି। ନେତା ଠାରୁ ଆରମ୍ଭ କରି ବଡବଡ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଶୁଣୁନଥିବା ଖମନପଡା ବାସୀଙ୍କ ଅଭିଯୋଗ କରିଛନ୍ତି
Comments are closed.