Latest Odisha News

BREAKING NEWS

ଦହିବରା ଆଳୁଦମ୍ ଦିବସ: ଘରେ ବନାନ୍ତୁ ଚଟପଟା ଦହିବରା….

ଭୁବନେଶ୍ଵର: ଆଜି ହେଉଛି ଦହିବରା ଆଳୁଦମ୍ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଉଛି। ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍‌ର ସୁଆଦ ଟିକେ ନିଆରା। ଆଜି ଦହିବରା ଆଳୁଦମ୍‌ ଦିବସ ଅବସରରେ କଟକ-ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଦହିବରା ଖାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଯଦି ଆପଣ କୌଣସି କାରଣ ବସତଃ ବାହାରୁ ଦହିବରା ଖାଇବାକୁ ଯାଇପାରୁନାହାନ୍ତି ତେବେ ଘରେ ବସି ଆପଣ ଝଟପଟ୍ ବନାନ୍ତୁ ସୁସ୍ଵାଦୁ ଦହିବରା ଆଳୁଦମ ।ତେବେ ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି…

ଆବଶ୍ୟକ ସାମଗ୍ରୀ

ଧଳା ବିରି ୨୦୦ଗ୍ରା, ସୁଜି ୫୦ଗ୍ରା, ଦହି ୨୫୦ଗ୍ରା, ଭୃସଙ୍ଗ ପତ୍ର, ବିଟ ଲୁଣ, ସୋରିଷ ୧ ଚାମଚ, ଜିରାଗୁଣ୍ଡ ୧ଚାମଚ, ଲଙ୍କାଗୁଣ୍ଡ ୧ ଚାମଚ, ଶୁଖିଲା ଲଙ୍କା, ଆମ୍ବ ଅଦା ୧/୨ ଇଞ୍ଚ, ରିଫାଇନ ତେଲ (ଛାଣିବା ମୁତାବକ), ସ୍ୱାଦ ଅନୁଯାୟୀ ଲୁଣ,

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ବିରିକୁ ୪/୫ଘଣ୍ଟା ବତୁରାଇ ଦିଅନ୍ତୁ। ତାପରେ ତାକୁ ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ। ବାଟି ସାରିବା ପରେ ଆଣକୁ ୧୦/୧୫ ମିନିଟ୍‌ ଫେଣ୍ଟନ୍ତୁ। ସେଥିରେ ସୁଜି ଓ ଲୁଣ ପକାଇ ୧୫ ମିନିଟ ଛାଡ଼ି ଦିଅନ୍ତୁ। ତାପରେ କଢ଼େଇରେ ତେଲ ଗରମ କରି ବରା ଆକୃତିର କମ୍‌ ଆଞ୍ଚରେ ଛାଣନ୍ତୁ। ବରାଗୁଡ଼ିକୁ ଲାଲ ହେବା ପୂର୍ବରୁ କାଢ଼ି ଗରମ ପାଣିରେ ପକାଇ ଦିଅନ୍ତୁ। ତାପରେ ଦହିରେ ଅଳ୍ପପାଣି ଦେଇ ଫେଣ୍ଟି ଦିଅନ୍ତୁ। ସେଥିରେ ବିଟଲୁଣ, ସାଧାଲୁଣ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ ପକାଇ ଗୋଳାନ୍ତୁ। ତାପରେ କଢ଼େଇ ଗରମ କରନ୍ତୁ। ସେଥିରେ ୨ ଚାମଚ ତେଲ ଦେଇ ଗରମ କରନ୍ତୁ। ତାପରେ ସେଥିରେ ୧ଚାମଚ ସୋରିଷ ପକାନ୍ତୁ। ୫ ସେକେଣ୍ଡ ପରେ ଶୁଖିଲା ଲଙ୍କା ୪ଟା ପକାନ୍ତୁ। ତାପରେ ଭୃସଙ୍ଗ ପତ୍ରକୁ ପକାଇ ଭାଜନ୍ତୁ। ସେଥିରେ ଆମ୍ବ ଅଦାକୁ ଛେଚି ପକାଇ ପୁଣି ୧ ମିନିଟ୍‌ ଭାଜନ୍ତୁ। ତାପରେ ଏହି ବଘରାକୁ ପୂର୍ବରୁ ଗୋଳାଇ ରଖିଥିବା ଦହିରେ ପକାଇ ଗୋଳାଇ ଦିଅନ୍ତୁ।  ଏବେ ବରାକୁ ପାଣିରୁ କାଢ଼ି ଦୁଇ ହାତ ଚକିରେ ଚାପି ମିଶ୍ରିତ ଦହିରେ ପକାଇ ଦିଅନ୍ତୁ। ୫/୧୦ ମିନିଟ୍‌ ବରାକୁ ଭିଜିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚଟାପଟ ଦହିବରା। ଏହାକୁ ଛୋଟ ପାତ୍ରରେ କାଢ଼ି ପରସନ୍ତୁ।

 

Comments are closed.