Latest Odisha News

ବାତ୍ୟା ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ; ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପାଣିପାଗ ବିଭାଗର ଆକଳନ ପରେ ସ୍ବତନ୍ତ୍ର ରିଲିଫ କମିଶନର ଓ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ କିପରି ନିଆଯିବ ସେ ନେଇ  ବିଏମସିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯିବ ।  ହେଡ କ୍ୱାର୍ଟର  ଛାଡି ବିଏମସି କର୍ମଚାରୀ ଯାଇ ପାରିବେନି ବୋଲି କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଓ ପରବର୍ତ୍ତୀ କାଳରେ ପୁନରୁଦ୍ଧାର ଓ ଥଇଥାନ ଉପରେ ନଜର ରଖାଯିବ। ଖାଲୁଆ ଅଞ୍ଚଳରେ କିଭଳି ପାଣି ଜମିବ ନାହିଁ ଏବଂ ନିଷ୍କାସନ କିଭଳି ତୁରନ୍ତ କରାଯିବ ସେଥିପାଇଁ ପଦକ୍ଷେପ ନିଆଯିବ। ସ୍କୁଲ, ଘରୋଇ କଲ୍ୟାଣ ମଣ୍ଡପ, ଵାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯିବ । ସୁଖିଲ ଖାଦ୍ୟ ମହଜୁଦ ରଖାଯିବ। ବିଦ୍ୟୁତ , ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଯିବ । ଅଗ୍ନିଶମ ବିଭାଗ ସହ ଯୋଗାଯୋଗ ରଖି  କାମ କରାଯିବ ବୋଲି ମେୟର କହିଥିଲେ ।

ଅଧିକ ସଂଖ୍ୟକ ଗଛ କଟା ମେଶିନ,  ଲାଇଟ,  ଜେନେରଟେରର ବ୍ୟବସ୍ଥା କିପରି କରାଯିବ, ଜଳ ନିଷ୍କାସନ ପାଇଁ କିପରି ବ୍ୟବସ୍ଥା କରାଯିବ ତାହା ଉପରେ ବୈଠକରେ ଆଲୋଚନା କରାଯିବ । ଏ ସବୁ ପ୍ରସ୍ତୁତି ଆରମ୍ଭ କରାଯିବା ପରେ ପୁଣି  ୱାର୍ଡ ସ୍ତରୀୟ ବୈଠକ କରାଯିବ।  ସମ୍ବେଦନଶୀଳ ତଥା ବିପଦସଙ୍କୁଳ ଅବସ୍ଥାରେ ଥିବା କିଛି ସ୍ଥାନକୁ ଚିହ୍ନଟ କରି ସେଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ମେୟର ସୁଲୋଚନା ଦାସ ସୂଚନା ଦେଇଥିଲେ ।

ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ସେଥିପାଇଁ ନିର୍ଦେଶ ଦିଆଯାଇଛି। କର୍ପୋରେଟର, ୱାର୍ଡ କମିଟି, ପୂର୍ତ୍ତ ବିଭାଗ, ଡ୍ରେନେଜ, ଜାତୀୟ ରାଜପଥ ଓ ଅଗ୍ନିଶମ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ସହ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.