Latest Odisha News

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ: ଜବାବ ଦାଖଲ ଲାଗି ଏଏସଆଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ତଥା ସୁରକ୍ଷା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସଆଇ), କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ ଏସ ଜାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟର ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି ଆସନ୍ତା ଡିସେମ୍ବର ୧୦ ତାରିଖ ସୁଦ୍ଧା ଏଏସଆଇ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଏସମ୍ପର୍କରେ ଜବାବ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଏବଂ ସଂରକ୍ଷଣ ନେଇ ଅଭିଯୋଗ ଦାଖଲ ହୋଇଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ତଥା ରକ୍ଷଣାବେକ୍ଷଣରେ ଚରମ ଅବହେଳା ପରିଲକ୍ଷିତ ହେବା ସହିତ ପୁରାତନ ପଥରକୁ ସ୍ଥାନାନ୍ତରୀତ ହୋଇଥିବାର ଅଭିଯୋଗ ହୋଇଛି । ଏହାଫଳରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଧିରେ ଧିରେ ନିଜର ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି ।

ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ନେଇ ଅଭିଯୋଗ କରିଥିବା ପ୍ରତିପକ୍ଷ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସଆଇ)କୁ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ଏପରିକି ଏହି ମାମଲାରେ ଆବେଦନକାରୀ ଅଦାଲତଙ୍କୁ ଅନୁରୋଧ କରିଛନ୍ତି, ସୂର୍ଯ୍ୟ ମନ୍ଦିରର ମରାମତି କାର୍ଯ୍ୟ ବା ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟ ପଦ୍ଧତିକୁ ତଦାରଖ କରି ଦୃଷ୍ଟିପାତ କରିବାକୁ ଏକ କମିଟି ଗଠନ କରାଯାଉ ।

ଯେଉଁ କମିଟି ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ମରାମତି କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତର୍ଜମା କରି ସମୟାନୁକ୍ରମେ ରିପୋର୍ଟ ପ୍ରଦାନ କରିପାରିବ ।

Comments are closed.