ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ରାଷ୍ଟ୍ରପତି ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । କଟକ ଓ ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କ ଅନେକ କାର୍ଯ୍ୟକ୍ରମ ରହିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।
ଆଜି ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ବାୟୁସେନା ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ରାଜଭବନ ଦେଇ ସିଧାସଳଖ ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଓ ରାଜଭବନରେ ରହଣି ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଛି ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା ରହିଛି । ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଏମ୍ସ ଯିବା ରାସ୍ତା ବନ୍ଦ ରହିବ । ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ବନ୍ଦ ରହିବ ରାସ୍ତା ।ଏୟାରପୋର୍ଟ ଛକ, କ୍ୟାପିଟାଲ୍ ହସ୍ପିଟାଲ, ଏଜି ଛକ ରାସ୍ତା ବନ୍ଦ ରହିବ । ରାଜଭବନ ଛକ, ପାୱାର ହାସ୍ ଛକ ଦେଇ ବନ୍ଦ ରହିବ ଗାଡ଼ି ଚଳାଚଳ । ୧୨୦ ବିଏନ୍ ଛକ, ଶାସ୍ତ୍ରୀନଗର, ବେହେରା ସାହି ରାସ୍ତା ବନ୍ଦ କରାଯିବ । ଜୟଦେବ ବିହାର ଛକରୁ ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ବନ୍ଦ ରହିବ । ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍, କସମୋପଲିସ ଛକ, ଏମ୍ସ ଅଣ୍ଡର ପାସ୍ ରାସ୍ତା ବନ୍ଦ ରହିବ । ସନ୍ଧ୍ୟା ୬.୩୦ରୁ ୭.୦୫ ଯାଏଁ ରହିବ ଟ୍ରାଫିକ କଟକଣା ।
ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୫ମ ସମାବର୍ତ୍ତନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ଏନେଇ ଏମ୍ସ ଭୁବନେଶ୍ବରରେ ଖେଳିଯାଇଛି ଖୁସି ଓ ଉତ୍ସବର ପରିବେଶ। ଏମ୍ସକୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ ସଦସ୍ୟ ଉତ୍କଣ୍ଠାର ସହିତ ଚାହିଁ ରହିଥିବା ପ୍ରକାଶା କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ରାଷ୍ଟ୍ରପତି ମହୋଦୟାକଙ୍କ ଉପସ୍ଥିତି ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି।
ଏନେଇ ଏମ୍ସ ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟ ଗୌରବମୟ କଳା ସଂସ୍କୃତି, ଐତିହ୍ୟ ମାଧ୍ୟମରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯିବ। ସେହିପରି କୃତୀ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଡିଗ୍ରୀ ଏବଂ ସ୍ବର୍ଣ୍ଣ ପଦକ ପ୍ରଦାନ କରିବେ। ଏମ୍ସ ଭୁବନେଶ୍ବରରେ ରାଷ୍ଟ୍ରପତି ମହୋଦୟା ପାଖାପାଖି ଏକ ଘଣ୍ଟା ରହିବା ନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ଡ. ବିଶ୍ବାସ ସୂଚନା ପ୍ରଦାନ କରିଛନ୍ତି।
ଚଳିତ ବର୍ଷ, ମୋଟ ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହି ସୂଚୀରେ, ୧୯୬ ଜଣ ଡାକ୍ତରୀ(ଏମ୍ବିବିଏସ) ଛାତ୍ରଛାତ୍ରୀ, ୧୫୮ ଜଣ ବିଶେଷଜ୍ଞ(ପିଜି) ଡାକ୍ତର, ୪୯ ଜଣ ସୁପର ସ୍ପେଷିଆଲିଟି(ଡିଏମ୍/ଏମ୍ସିଏଚ୍), ୨୧ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (ପିଡିଏଫ୍), ୧୧୬ ଜଣ ବିଏସ୍ସି ନର୍ସିଂ, ୬୨ଜଣ ବିଏସ୍ସି ପାରାମେଡିକାଲ୍, ୪୧ ଜଣ ଏମ୍ଏସସି ନର୍ସିଂ, ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ। ସେହିପରି ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।
ସନ୍ଧ୍ୟା ୬ଟା ୪୫ରେ କାର୍ଯ୍ୟକ୍ରମ ଶେଷ ପରେ ସିଧା ରାଜଭବନ ଫେରିବା ସହ ରାତ୍ରି ଭୋଜନ ଓ ରାତ୍ରି ରହଣି କରିବେ ରାଷ୍ଟ୍ରପତି ।
ସେହିପରି ୧୫ ତାରିଖରେ ରାଷ୍ଟ୍ରପତିଙ୍କ କଟକ ଗସ୍ତ ରହିଛି । ସକାଳ ୧୦ଟା ପରେ କଟକ ଅଭିମୁଖେ ବାହାରି ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେବେ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ଇଣ୍ଡୋର ଷ୍ଟାଡିୟମ, ସାରଳା ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ସ୍ଥଳ ଗୁଡ଼ିକରେ ସୁରକ୍ଷା ଓ ରାସ୍ତାରେ ଟ୍ରାଫିକ ସମସ୍ୟାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।
Comments are closed.