Latest Odisha News

BREAKING NEWS

ମହାବାହୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ବିଭୋର ଭକ୍ତଟିଏ

ଦୁଇ ଦିନିଆ  ଗସ୍ତ ସାରି ଫେରି ଯାଇଛନ୍ତି ମହାମହିମ ରାଷ୍ଟ୍ରପତି । ହେଲେ  ଏହି ଦୁଇ ଦିନର ସ୍ମୃତି ଅଭୁଲା ହୋଇ ରହିଯାଇଛି ଓଡ଼ିଆଙ୍କ ମନରେ। ଏଇ ମାଟିର ଝିଅ ଆଜି ଦେଶର ସର୍ବୋଚ୍ଚ ପଦବୀରେ । ଓଡ଼ିଆଙ୍କ ପାଇଁ ଏହା କିଛି କମ ଗୌରବର କଥା ନୁହେଁ । ଆାଗରୁ ଏ ମାଟି ଦ୍ରୌପଦୀ ମୁର୍ମୁଙ୍କୁ ଦେଖିଥିଲା ଜଣେ ନେତ୍ରୀ, ଜଣେ ସମାଜସେବୀ, ଜଣେ ରାଜ୍ୟପାଳ  ଭାବେ  । ହେଲେ ଏବେ ଦେଖିଲା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ଏପରି ଜଣେ ରାଷ୍ଟ୍ରପତି ଯାହାଙ୍କ ଅହଙ୍କାରଶୂନ୍ୟ ବ୍ୟକ୍ତିତ୍ୱ,  ବିନମ୍ରତା, ଶାଳୀନତା ଆାଉ ସରଳତା ଅବିଭୂତ କରି ଦେଇଛି ରାଜ୍ୟବାସୀଙ୍କୁ ।

ବଡଦାଣ୍ଡରେ ଚାଲୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଳଗଣ୍ଡିଠାରୁ ଚାଲି ଚାଲି ସିଂହଦ୍ୱାର ଯାଏ ଯାଇଥିଲେ । ତାଙ୍କ ଚାଲିରେ, ଭାବରେ ବାରି ହୋଇ ପଡ଼ୁଥିଲା ଭକ୍ତର ବିହ୍ୱଳପଣ । ମହାବାହୁଙ୍କୁ ଦେଖିବା ପାଇଁ କେତେ ବ୍ୟାକୁଳ ସତେ । ବୋଧହୁଏ ସେ ସସମୟରେ ସେ ଭାବୁ ନ ଥିଲେ ମୁଁ ରାଷ୍ଟ୍ରପତି, ମୋତେ ସାରା ଦେଶବାସୀ ଦେଖୁଛନ୍ତି । ମୋର ଏମିତି ଚାଲିବା କଥା, ଏମିତି ବସିବା..ଇତ୍ୟାଦି । ତାଙ୍କର ସେ ଭାବବିହ୍ୱଳ ଚାଲିକୁ ଦେଖିଲେ ଲାଗୁଥିଲା ଯେମିତି ମହାବାହୁଙ୍କୁ ଦେଖିବା ପାଇଁ ମହାମହିମ ନୁହେଁ, ଭକ୍ତ ଶବରୀ  ଆତ୍ମବିଭୋର ହୋଇ ଚାଲିଛି । ତାଙ୍କ ବେଶ, ପୋଷାକ, କଥା, ହସ ସବୁଥିରେ ବାରି ହୋଇ ପଡ଼ୁଥିଲା ଓଡ଼ିଆଣୀର ମହକ। ଅରୁଣ ସ୍ତମ୍ଭ ପାଖରେ ମୁଣ୍ଡିଆ ମାରିବା, ତଳେ ବସି ମହାପ୍ରସାଦ ଖାଇବା…ଏ ସବୁ ତ ଜଣେ ଓଡ଼ିଆାଣୀ ହିଁ କରିପାରେ ।

ଏଇ ପରିପ୍ରେକ୍ଷୀରେ ମନେପଡେ ହେତୁବାଦୀଙ୍କ ଯୁକ୍ତି । ଏମାନଙ୍କ ଯୁକ୍ତି ପରମ୍ପରା ଯଦି ଲାଭ ମିଳୁନି, ଆାନନ୍ଦ ମିଳୁନି ତାକୁ ଫିଙ୍ଗି ଦିଅ । ଜଗନ୍ନାଥ ଜଗତର ନାଥ କ’ଣ ପୁରୀର ବି ନାଥ ନୁହଁନ୍ତି । ସେଥିପାଇଁ କରୋନା ସମୟରେ ଜଗନ୍ନାଥ, ଲିଙ୍ଗରାଜଙ୍କ ଦୁଆାରେ ତାଲା ପକାଇ ଦେଲେ ନବୀନ ବାବୁ । ଏମାନେ କରୋନା ପରୀକ୍ଷାରେ ଫେଲ ହୋଇଛନ୍ତି । ଏମାନଙ୍କୁ କାହିଁକି ମାନିବ ? ଜଗନ୍ନାଥଙ୍କ ମାତା କିଏ ? ପିତା କିଏ ? ସେ କ’ଣ ପଢିଛନ୍ତି ଇତ୍ୟାଦି …

ଠିକ୍ କଥା । ଧର୍ମର ଆବଶ୍ୟକତା ନାହିଁ । ଜଗନ୍ନାଥଙ୍କର ପରିଚୟ ନାହିଁ । ଶିକ୍ଷା ଗତ ଯେଗ୍ୟତା ଜଣାନାହିଁ । ହେଲେ ଏଠି ପ୍ରଶ୍ନ ଉଠେ ଏସବୁର ଦରକାର ବା କ’ଣ ? ସେଇ ଗୋଟିଏ ନାମ ଜଗନ୍ନାଥ ହିଁ ତ ଯଥେଷ୍ଟ । କାରଣ ଧର୍ମ ବିଶ୍ୱାସରୁ ଆଉ ଯାହା ମିଳୁ ବା ନ ମିଳୁ, ଧର୍ମ ମଣିଷକୁ ଶୃଙ୍ଖଳିତ କରିଥାଏ  । ଧାର୍ମିକ ଚେତନା ମଣିଷକୁ ଭୁଲ କରିବା ପୂର୍ବରୁ ବାଟ ଓଗାଳିଥାଏ । ଜଗନ୍ନାଥଙ୍କୁ କାହିଁକି ମାନିବ ? ମାନିବାର ଦରକାର ନାହିଁ । ଜଗନ୍ନାଥଙ୍କ ପରିଚୟ ବା ଶିକ୍ଷାଗତ ଯୋଗ୍ୟତା ଆମର ଲୋଡା ନାହିଁ । କାରଣ ତାଙ୍କ ନାମଟି ହିଁ ଆମ ପାଇଁ ଯଥେଷ୍ଟ । ଏଇ  ନାମଟି ବୋଧହୁଏ ମଣିଷକୁ ଅହଙ୍କାରଶୂନ୍ୟ କରିଦିଏ,  ବିନମ୍ର କରିଦିଏ । ଯାହା ଆମେ ଦେଖିଲେ ମହାମହିମ, ଦେଶର ପ୍ରଥମ ନାଗରିକଙ୍କ ପାଖରେ ।

ହେତୁବାଦୀମାନେ କହିପାରନ୍ତି, ଧର୍ମ ପାଇଁ ସମାଜରେ ବିଶୃଙ୍ଖଳା ଦେଖାଦେଉଛି । ହେଲେ ଧର୍ମ ପାଇଁ ନୁହେଁ, ଧର୍ମାନ୍ଧଙ୍କ ପାଇଁ ଦେଖା ଦେଇଥାଏ ବିଶୃଙ୍ଖଳା । ଯାହା ବି ହେଉ, ଧର୍ମ ନାଁରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ । ଧର୍ମକୁ ବିଶ୍ୱାସ ନ କରିବା ପାଇଁ ଆହ୍ୱାନ ଦେବା ନାଁରେ ହେତୁବାଦୀଙ୍କର ଏ ବିଶୃଙ୍ଖଳା ମଧ୍ୟ ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.