Latest Odisha News

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି: ଦୁଇ ଯୁଗପୁରୁଷଙ୍କୁ ମନେପକାଇ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ଅକ୍ଟୋବର ୨ ତାରିଖ ତଥା ଦେଶର ଦୁଇ ମହାନାୟକ ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ । ଆଜିର ଦିନର ୧୮୬୯ ମସିହାରେ ଗୁଜୁରାଟର ପୋର ବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ ବାପୁ । ଦେଶରେ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ସତ୍ୟ ଏବଂ ଅହିଂସା ମହାତ୍ମା ଗାନ୍ଧୀଙ୍କର ଥିଲା ଦୁଇ ମୁଳମନ୍ତ୍ର । ଏହି ଦୁଇ ଶକ୍ତିବଳରେ ଦେଶ ପାଇଁ ସ୍ୱାଧିନତା ଆଣିଥିଲେ ବାପୁ ।

ଇଂରେଜଙ୍କ କବଳରୁ ଦେଶକୁ ମୁକୁଳାଇବା ପାଇଁ ସତ୍ୟାଗ୍ରହ ସଂଗ୍ରାମର ସେ ଥିଲେ ସେନାପତି । ସତ୍ୟ ଅହିଂସାର ପଥ ପ୍ରଦର୍ଶକ ବାପୁଙ୍କ ଆଜି ୧୫୪ ତମ ଜନ୍ମଜୟନ୍ତୀ । ଗାନ୍ଧି ଜୟନ୍ତି ଅବସରରେ ଆଜି ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ। ଏଥିସହ ଅନେକ ରାଜନେତା ମଧ୍ୟ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଛନ୍ତି ।

ସେହିପରି ଆଜି ମଧ୍ୟ ଶାନ୍ତିର କପୋତ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ । ଛାତ୍ର ଜୀବନରୁ ହିଁ ଦେଶ ସେବାରେ ନିଜକୁ ଉତ୍ସଗୀକୃତ କରିଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ରାଜଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଦିଲ୍ଲୀ ସ୍ଥିତ ବିଜୟଘାଟ ଶାସ୍ତ୍ରୀଙ୍କ ସମାଧି ସ୍ଥଳରେ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି ଓ ବାଚସ୍ପତି ଓମ ବିର୍ଲା ।

ସେହିପରି ଏକ୍ସ ମାଧ୍ୟମରେ ମଧ୍ୟ ଏହି ଦୁଇ ମହାନଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀ ଅହିଂସା ଆଧାରରେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିବା ବେଳେ ଶାସ୍ତ୍ରୀଙ୍କ ଜୀବନ ସାଧୁ ଓ ନୀତିବାନ ହେବାକୁ ପ୍ରେରଣା ଦିଏ । ଆଜି ଉଭୟ ମହାପୁରୁଷଙ୍କୁ ମନେ ପକାଉଛି ସାରା ଦେଶ । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

Leave A Reply

Your email address will not be published.