Latest Odisha News

BREAKING NEWS

ଏହି ମହାନାୟକଙ୍କ କଥାରେ ଗୋଟିଏ ଓଳି ଖାଦ୍ୟ ଛାଡିଥିଲେ ଦେଶବାସୀ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଆଜି ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ଭାରତ ମାଆ ପାଇଥିଲା ୨ଟି ମହାନ ବ୍ୟକ୍ତିତ୍ୱ । ଏହି ଦିନ ଜନ୍ମ ଗ୍ରହଣ କରିଥିଲେ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗୋଟିଏ ଦିନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ । ଦେଶର ସ୍ୱାଧିନତା ସଂଗ୍ରାମ ହେଉ କିମ୍ବା ସାମାଜିକ ବିକାଶ କ୍ଷେତରେ ଗାନ୍ଧୀଙ୍କ ଭଳି ଶାସ୍ତ୍ରୀଙ୍କ ବି ଅବଦାନ ଅନେକ । ମାନବ ସମାଜ ପାଇଁ ଏକ ଅସନ୍ତି ପ୍ରେରଣାର ଉତ୍ସ ହେଉଛନ୍ତି ଲାଲ ବାହାଦୂର ଶାସ୍ତ୍ରୀ । କେବଳ ନାଁ ନୁହେଁ, ବାସ୍ତବରେ ସେ ଜଣେ ବାହାଦୂର ନେତା ଥିଲେ । ଶାସ୍ତ୍ରୀଜୀ ବାହାରୁ ଦେଖିବାକୁ ଯେମିତି ସାଧାରଣ ଦେଖାଯାଉଥିଲେ, ସେମିତି ମନରୁ ଶାନ୍ତ ଓ ନିର୍ମଳ ସ୍ୱଭାବର ଥିଲେ । ସେ ହିଁ ଜୟ ଯବାନ, ଜୟ କିଷାନର ନାରା ଦେବା ସହ ପ୍ରଥମ ଥର ଭାରତର ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରିଥିଲେ । ଏମିତି ଅନେକ ଘଟଣା ଘଟିଛି ଯେଉଁଥିରେ ତାଙ୍କ ଜୀବନ ପରିଭାଷିତ ହୁଏ ।

ଲାଲବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ସ୍ଥିତି ସେତେଟା ଭଲ ନଥିଲା । ସେ ସମୟରେ ଦେଶବାସୀଙ୍କୁ ସାନ୍ତ୍ଵନା ଦେବା ଭଳି ନେତା କେବଳ ଶାସ୍ତ୍ରୀ ହିଁ ଥିଲେ । ଦେଶରେ ସେତେବେଳେ ଯୁଦ୍ଧ ପରିସ୍ଥିତି ଲାଗିରହିଥାଏ । ଚୀନ ସହ ୧୯୬୨ର ଯୁଦ୍ଧ ସରିବାର ମାତ୍ର ୨ ବର୍ଷ ପରେ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ଆଉ ଶପଥ ନେବାର ୨ ବର୍ଷ ନ ପରୁଣୁ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ହୋଇଥିଲା । ତଥାପି ସେ ଭାଙ୍ଗିନପଡି ଦୃଢତାର ସହ ପରିସ୍ଥିତିର ମୁକାବିଲା କରିଥିଲେ । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମେରିକାର ରାଷ୍ଟ୍ରପତି ଲିନଡିନ ଜନସନ୍ ସିଧାସଳଖ ଧମକ ଦେଲେ ଯେ,”ଯଦି ଭାରତ ପାକିସ୍ତାନ ସହ ଯୁଦ୍ଧ ବନ୍ଦ ନ କରେ ତେବେ ଆମେରିକାରୁ ଆସୁଥିବା ନାଲି ଗହମକୁ ରପ୍ତାନି ଉପରେ ରୋକ ଲଗାଯିବ”। ଏହି କଥା ଶାସ୍ତ୍ରୀଙ୍କ ନିଦ ହଜାଇ ଦେଇଥିଲା । ଯେହେତୁ ସେତେବେଳେ ଭାରତ ଗହମ ଉତ୍ପାଦନରେ ଆତ୍ମନିର୍ଭର ନଥିଲା ସେଥିପାଇଁ ନିଜକୁ ଅସମର୍ଥ ଭାବିବାର ଚିନ୍ତା ଶାସ୍ତ୍ରୀଙ୍କୁ ଖାଇ ଯାଉଥିଲା । କାରଣ ଶାସ୍ତ୍ରୀ ଥିଲେ ଜଣେ ସ୍ଵାଭିମାନୀ ବ୍ୟକ୍ତି ଥିଲେ । କାହା ଆଗରେ ହାତ ପତେଇ ନିଜ ଦେଶକୁ ଖୁଆଇବା ତାଙ୍କୁ ପସନ୍ଦ ନଥିଲା । ସେଥିପାଇଁ ସେ ଏକ ବଡ ନିଷ୍ପତି ନେଇଥିଲା । ଆଉ ସେଥିପାଇଁ ପୁରା ଦେଶବାସୀଙ୍କୁ ଆହ୍ଵାନ ଦେଇଥିଲେ ।

ସେ ଦେଶବାସୀଙ୍କୁ ଆହ୍ଵାନ ଦେଇ କହିଲେ ଯେ, ଆମେ ଗୋଟେ ସପ୍ତାହରେ ଗୋଟେ ଓଳି ଖାଇବା ଛାଡିଦେବା ଉଚିତ୍ । ତାହେଲେ ଆମ ଦେଶରେ ଗହମର ଆବଶ୍ୟକତା ଅଧିକ ରହିବ ନାହିଁ । କିନ୍ତୁ ଦେଶବାସୀଙ୍କୁ ଏହି ଆହ୍ଵାନ ଦେବା ପୂର୍ବରୁ ସେ ନିଜ ପରିବାରକୁ ଏହି କଥା କହିଥିଲେ । ସେ ତାଙ୍କ ପତ୍ନୀ ଲଳିତା ଶାସ୍ତ୍ରୀଙ୍କୁ କହିଥିଲେ ଯେ, “ଆମେ ଗୋଟିଏ ଓଳି ଖାଇବା ନଖାଇ ରହିବା । କାରଣ ମୁଁ ଦେଖିବାକୁ ଚାହୁଁଛି ଯେ ଆମ ପୁରା ପରିବା ଏପରି ରହିପାରୁଛି କି ନାହିଁ । ଯଦି ରହିପାରିବେ ତେବେ ମୁଁ ଦେଶବାସୀଙ୍କ ଆଗରେ ଏହି ପ୍ରସ୍ତାବ ରଖିବି ।” ଆଉ ସତ କୁ ସତ ନିଜ ଘରୁ ଏହିଭଳି ପରିକ୍ଷାରେ ସଫଳ ହୋଇ ସେ ପରଦିନ ହିଁ ଦେଶବାସୀଙ୍କୁ ଏପରି ଆହ୍ଵାନ ଦେଇଥିଲେ । ତାସହ ଦେଶର ଏହି ଗୁରୁତର ସ୍ଥିତିକୁ ଆଖି ଆଗରେ ରଖି ନିଜକୁ ଆତ୍ମନିର୍ଭର କରିବାକୁ ମଧ୍ୟ ଆହ୍ଵାନ ଦେଇଥିଲେ ଶାସ୍ତ୍ରୀ । ଆଉ ତାଙ୍କ ସେହି ଐତିହାସିକ ଆହ୍ଵାନ କ୍ରମେ ଗୋଟିଏ ଓଳି ଖାଇବା ଛାଡିଦେଇଥିଲେ ସବୁ ଭାରତୀୟ ।

Leave A Reply

Your email address will not be published.