ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି।
ଏହା ପରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟରରେ ନୀଳମାଧବ ମନ୍ଦିର ଦର୍ଶନ ପାଇଁ ସିଧାସଳଖ ନୟାଗଡ଼ ଜିଲ୍ଲାର କାଣ୍ଟିଲୋ ଯାଇଛନ୍ତି। ସେ ମନ୍ଦିରରେ ପ୍ରାୟ ୨୦ ମିନିଟ୍ ବିତାଇବେ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ଜଗନ୍ନାଥ ସଂସ୍କୃତିର ମୂଳପୀଠ ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ବାବସୁ ଓ ଲଲିତାଙ୍କ ଜନ୍ମମାଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ କାଳିଆପଲ୍ଲୀ ଗ୍ରାମରରେ ଶବର ରାଜା ବିଶ୍ବାବସୁଙ୍କ ପୀଠ ପରିଦର୍ଶନ କରିବା ସହ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ। ଶେଷରେ ବିଶ୍ବାବସୁ ଶବର ସମାଜ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗଦେବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପି। ତେବେ ଏହି ଗସ୍ତକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଜନସାଧାରଣଙ୍କ ପାଇଁ ୨୪ ଓ ୨୫ ତାରିଖ ଲାଗି ଟ୍ରାଫିକ ଆଡଭାଇଜରି ଜାରି କରାଯାଇଥିଲା।
Comments are closed.