Latest Odisha News

BREAKING NEWS

ବହୁତ ହୋଇଗଲା… 

ନୂଆଦିଲ୍ଲୀ: ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୋରଦାର ହୋଇଛି ରାଜନୀତି । ବିଜେପି-ଟିଏମସି ମଧ୍ୟରେ ଆରମ୍ଭ ହୋଇଯାଇଛି ଆଉ ଏକ ପର୍ଯ୍ୟାୟ ବାକ୍‌ଯୁଦ୍ଧ । ଏଣେ ବିଜେପିର ୧୨ ଘଂଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଓ ଆରୋପ –ପ୍ରତ୍ୟାରୋପ । ଅନେକ ସ୍ଥାନରେ ବିଜେପି ତୃଣମୂଳ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ନେତା,କର୍ମୀ ଓ ବନ୍ଦ ସମର୍ଥକଙ୍କୁ ଅଟକ ରଖିଥିଲା ପୋଲିସ । ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଛାତ୍ର ସମାଜର ନବନ୍ନା ଅଭିଯାନ ବେଳେ ପୋଲିସର ଦମନମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଜେପି ଦେଇଥିଲା ପଶ୍ଚିମବଙ୍ଗ ବନ୍ଦ ଡାକରା ।

ରାଷ୍ଟ୍ରପତି କହିଲେ, ବହୁତ ହୋଇଗଲା

କୋଲକାତା କାଣ୍ଡ ନେଇ ପ୍ରଥମ ଥର ପାଇଁ ଟିପ୍ପଣୀ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଘଟଣା ନେଇ ସେ ନିରାଶ ଓ ବିଚଳିତ ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଉଥିବାରୁ କ୍ଷୁବ୍ଧ ହୋଇଛନ୍ତି ରାଷ୍ଟ୍ରପତି । ବହୁତ ହୋଇଗଲାଣି । କୌଣସି ସଭ୍ୟ ସମାଜ କେବେ ହେଲେ ଝିଅ ଓ ଭଉଣୀମାନଙ୍କ ବିରୋଧରେ ଅତ୍ୟାଚାରକୁ ପ୍ରଶ୍ରୟ ଦେଇପାରିବ ନାହିଁ ବୋଲି ରାଷ୍ଟ୍ରପତି ସମ୍ବାଦ ସରବରାହ ସଂସ୍ଥା -ପିଟିଆଇକୁ କହିଛନ୍ତି । କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଦେଶର ଅନ୍ୟସ୍ଥାନରେ ଅପରାଧୀମାନେ ବର୍ବରତା ଜାରି ରଖିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ନିର୍ଭୟା ଘଟଣାର ୧୨ ବର୍ଷ ମଧ୍ୟରେ ଅସଂଖ୍ୟ ଦୁଷ୍କର୍ମ ଘଟଣାକୁ ସମାଜ ଭୁଲିଯାଇଛି ବୋଲି କହି ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ।

ବିଜେପିର ଅଭିଯୋଗ, ରିଭେଞ୍ଜ ପଲିଟିକ୍ସ କରୁଛନ୍ତି ମମତା

୧୨ ଘଂଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ ବେଳେ ବିଜେପି ନେତା ଓ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି । ସିଲିଗୁଡିରେ ଜଳପାଇଗୁଡି ବିଜେପି ଏମପି ଜୟନ୍ତ ରୟଙ୍କ କାର୍‌କୁ ଟିଏମସି କର୍ମୀମାନେ ଘେରିଯାଇଥିଲେ । କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । ଟିଏମସି ଛାତ୍ର ଶାଖା ସମାବେଶରେ ମମତା ବାନାର୍ଜୀ ହିଂସା ପାଇଁ ଉସୁକାଇଥିବା ଅଭିଯୋଗ କରିଛନ୍ତି ସୁକାନ୍ତ ମଜୁମଦାର । ମମତା ବାନାର୍ଜୀ ରିଭେଞ୍ଜ୍ ପଲିଟିକ୍ସ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ମମତା ଓ ଟିଏମସିର ଆକ୍ରମଣାତ୍ମକ ପ୍ରତିକ୍ରିୟା 

ବିଜେପିର ବନ୍ଦ ଡାକରା ଫ୍ଲପ ହୋଇଛି ବୋଲି କହିଛି ଟିଏମସି । ରାଜ୍ୟରେ ଜୀବନଯାତ୍ରା ସ୍ୱାଭାବିକ ରହିଛି । ଆର.ଜି କର ମାମଲାରେ ଟିଏମସି ମଧ୍ୟ ନ୍ୟାୟ ଚାହେଁ । ଏ ଯାଏଁ ସିବିଆଇ ଜଣକୁ ମଧ୍ୟ ଗିରଫ କରିପାରିନାହିଁ ବୋଲି ଟିଏମସି ନେତା କୁନାଲ ଘୋଷ କହିଛନ୍ତି । ନବନ୍ନା ଅଭିଯାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି କୁନାଲ ଘୋଷ କହିଛନ୍ତି । ବିଜେପି ପଶ୍ଚିମବଙ୍ଗକୁ ବଦନାମ କରିବାକୁ ଉଦ୍ୟମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ବିଜେପି ନ୍ୟାୟ ଚାହେଁ ନାହିଁ । ବିଜେପି କେବଳ ରାଜ୍ୟକୁ ବଦନାମ କରିବା ଚାହେଁ । ଟିଏମସି ଛାତ୍ର ଶାଖା ପ୍ରତିଷ୍ଠା ଦିବସ ଅବସରରେ ମମତା ଏପରି କହିଥିଲେ । ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ଅଗଷ୍ଟ ୩୧ରେ ରାଜ୍ୟର ସବୁ ବ୍ଲକରେ ଟିଏମସି ବିକ୍ଷୋଭ କରିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି ।

ଆଉ ଜଣଙ୍କର ପଲିଗ୍ରାଫ ଟେଷ୍ଟ 

ରାଜନୈତକ ବାକବିତଣ୍ଡା ମଧ୍ୟରେ ଆର.ଜି କର ମାମଲାରେ ତଦନ୍ତ କରୁଥିବା ସିବିଆଇ ଆଉ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରିଛି । ଏଏସଆଇ ର‌୍ୟାଙ୍କ୍ ପୋଲିସ ଅଧିକାରୀ ଅନୁପତ୍ତଦତ୍ତଙ୍କ ପଲିଗ୍ରାଫ ଟେଷ୍ଟ କରିଛି ସିବିଆଇ । ପୂର୍ବରୁ ଅଭିଯୁକ୍ତ ସଂଜୟ ରୟ ସହ ଆର.ଜି କର ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ସମେତ ୭ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରିସାରିଛି ସିବିଆଇ ।

 

Comments are closed.