Latest Odisha News

BREAKING NEWS

ଯାଉ ଯାଉ ଭାଇ ପାଖରେ ଅଟକି ଗଲେ ଭଉଣୀ; ବିମାନ ବନ୍ଦରରେ ଦେଖିବାକୁ ମିଳିଲା ଭାବ ବିହ୍ୱଳ ଦୃଶ୍ୟ

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ୨ୟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ଯାଇଥିଲେ । ସେଠାରେ ୨ୟ ନାସନାଲ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ । ସେଠାରେ କାର୍ଯ୍ୟକ୍ରମ ସାରିବା ପରେ ଦିଲ୍ଲୀ ଫେରି ଯାଇଛନ୍ତି ।

ରାଷ୍ଟ୍ରପତି ଫେରିବା ସମୟରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଉପସ୍ଥିତ ଥିଲେ । ଏଥି ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମେୟର ସୁଲୋଚନା ଦାସ ବି ଉପସ୍ଥିତ ଥିଲେ ।  ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ତେବେ ଯାଉ ଯାଉ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଷ୍ଟ୍ରପତି ବେଶ କିଛି ସମୟ ଅଟକି ଯାଇଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଥିଲା, ହସି ହସି କ’ଣ କହୁଥିଲେ ମୁଖ୍ୟମନ୍ତ୍ରୀ ?

ଉଭୟେ ବେଶ କିଛି ସମୟ ଆଲୋଚନା ବି କରିଥିଲେ । ତାଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଖୁବ ସୁନ୍ଦର ଥିଲା ବୋଲି କହିଥିଲେ ରାଷ୍ଟ୍ରପତି । ସେଥିପାଇଁ ଧନ୍ୟବାଦ ବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ  ମଧ୍ୟ ରାଷ୍ଟ୍ରପତିଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଷ୍ଟ୍ରପତିଙ୍କ ସମ୍ପର୍କ ଅନେକ ପୁରୁଣା । ଏଇ ମାଟିର ସନ୍ତାନ ଉଭୟେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ ଦ୍ରୌପଦୀ । ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ ମଧ୍ୟ କରିଥିଲେ । ତେଣୁ ସମସ୍ତଙ୍କ ମନରେ ଗୋଟିଏ କଥା ଯାଉଯାଉ ଭାଇ ପାଖରେ ବୋଧହୁଏ ଟିକିଏ ଅଟକି ଗଲେ  ଭଉଣୀ.

Leave A Reply

Your email address will not be published.