Latest Odisha News

BREAKING NEWS

ପୁଣି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି; ତପ୍ତପାଣିରେ କାହିଁକି ହେଉଛି ସ୍ୱତନ୍ତ୍ର ପ୍ରସ୍ତୁତି?

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ନିଜ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତିନି ଦିନିଆ ରାଜ୍ୟ ଗସ୍ତ କାଳରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବା ବେଳେ, ଅଗଷ୍ଟ ୪ ତାରିଖ ଦିନ ସେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ଏବଂ ପ୍ରସ୍ତୁତିକୁ କଡ଼ାକଡ଼ି କରାଯାଇଛି।

 

ଯଦିଓ ରାଷ୍ଟ୍ରପତି ଭବନ ପକ୍ଷରୁ ଏଯାଏଁ ଚୂଡ଼ାନ୍ତ ଗସ୍ତ ସୂଚୀ ପ୍ରକାଶ ପାଇନାହିଁ, ତଥାପି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଷ୍ଟ୍ରପତି ଅଗଷ୍ଟ ୪ରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯିବେ ଏବଂ ସେଠାରୁ ସଡ଼କ ପଥରେ ତପ୍ତପାଣି ଗସ୍ତ କରିବେ। ରାଷ୍ଟ୍ରପତି ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଏବଂ ମାଆ କାନ୍ଧୁଣୀ ଦେବୀଙ୍କ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବାର ସମ୍ଭାବନା ରହିଛି। ଏହା ସହିତ ଗଞ୍ଜାମର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ତପ୍ତପାଣିଠାରେ ସେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସହ ବିଶେଷ ଭାବେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

 

ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ସୁରକ୍ଷିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିକଟରେ ବରିଷ୍ଠ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ତପ୍ତପାଣି ଯାଇ ଗ୍ରାଉଣ୍ଡ ଇନ୍ସପେକ୍ସନ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି, ଗଞ୍ଜାମ ଏସପି ଓ ବ୍ରହ୍ମପୁର ଏସପି ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ରାଷ୍ଟ୍ରପତିଙ୍କ କନଭୟ ଯିବା ପାଇଁ ସ୍ୱତନ୍ତ୍ର ରୁଟ୍ ଚାର୍ଟ ମଧ୍ୟ ପ୍ରସ୍ତୁତ କରାଯାଉଛି।

Comments are closed.