ଭୁବନେଶ୍ବର: ପୁଣି ଓଡିଆ ସିନେମା ନିଜ ଟ୍ରାକକୁ ଫେରୁଛି । ନିଚ୍ଛକ କାହାଣୀ, ଓଡିଆ ସଂସ୍କୃତି କଥାବସ୍ତୁ ସହ ସିନେମା ଏବେ କେବଳ ରାଜ୍ୟ ନୁହେଁ ଦେଶ ଦରବାରରେ ପ୍ରଶଂସିତ ହେଉଛି । ଏବେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ନୂଆ ଓଡିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥଙ୍କ ନବକଳେବର ନେଇ ନିର୍ମିତ ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ରାଷ୍ଟ୍ରପତି ଭବନରେ ପ୍ରସାରିତ ହୋଇଛି । ଯାହା କି ବାସ୍ତବରେ ଓଡିଆ ସିନେମା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ନିଜେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ନବକଳେବରର କାହାଣୀ, ସିନେମାର କାଷ୍ଟଙ୍କ ସହ ବସି ଦେଖିଛନ୍ତି । ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର କଲଚୁରାଲ ସେଣ୍ଟରରେ ଏହି ସିନେମା ଦେଖିଛନ୍ତି ମହାମହିମ ।ଯେଉଁଥିରେ ଫିଲ୍ମର ନିର୍ଦ୍ଦେଶକଙ୍କ ସହ ଚଳଚ୍ଚିତ୍ରର କଳାକାରମାନେ ଏବଂ ଅନ୍ୟ ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତିଙ୍କ ସହ ବସି ସିନେମା ଦେଖିଥିଲେ ।
ଏନେଇ ରାଷ୍ଟ୍ରପତିଙ୍କ ଅଫିସିଆଲ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ଦେଖିଥିଲେ। ଏହି ଭକ୍ତିପୂର୍ଣ୍ଣ ଏବଂ ଐତିହାସିକ ଚଳଚ୍ଚିତ୍ରଟି ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିର ଉତ୍ପତ୍ତିକୁ ଦର୍ଶାଏ। ନିର୍ଦ୍ଦେଶକ ସୌଭାଗ୍ୟଲକ୍ଷ୍ମୀ ଜେନା, ଏହି ଚଳଚ୍ଚିତ୍ରର କଳାକାର ଏବଂ ଦଳ ମଧ୍ୟ ସ୍କ୍ରିନିଂରେ ଉପସ୍ଥିତ ଥିଲେ ।
ତେବେ ରଥଯାତ୍ରା ସମୟରେ ଜୁଲାଇ ୪ରେ ରିଲିଜ ହୋଇଥିଲା ବହୁ ପ୍ରତିକ୍ଷିତ ମହାପ୍ରଭୁଙ୍କ ନବକଳେବର ନୀଳା ଉପରେ ଆଧାରିତ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ । ସିନେମା ଜରିଆରେ ୧୫୭୫ ମସିହାରେ ହୋଇଥିବା ନବକଳେବର ବାବଦରେ ବିସ୍ତୃତ କଥାବସ୍ତୁ ରହିଛି । ଏହି ସିନେମାରେ ମଲ୍ଟି ଷ୍ଟାର କାଷ୍ଟ ରହିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଅଶ୍ରୁମୋଚନ, ଶ୍ରୀତମ ଦାସ, ଜ୍ୟୋତିରଞ୍ଜନ ନାୟକ, ପିଙ୍କି ପ୍ରଧାନ, ସୂର୍ଯ୍ୟାମୟୀ, ଶିବାନୀଙ୍କ ସମେତ ଆହୁରି ଅନେକ କଳାକାର କାମ କରିଥିବା ବେଳେ ସିନେମାଟି ଓଡିଶାରେ ବେଶ୍ ପ୍ରଶଂସା ସାଉଁଟୁଛି । ଯେଉଁଥିରେ ଯେତେବେଳେ ଜଣେ ନିଷ୍ଠୁର ଆକ୍ରମଣକାରୀ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ପ୍ରତିମାଗୁଡ଼ିକୁ ଅପବିତ୍ର କରନ୍ତି, ସେତେବେଳେ ଜଣେ ନିର୍ଭୀକ ଭକ୍ତ ଏବଂ ଜଣେ ଉଦୀୟମାନ ଯୁବ ରାଜା ଇତିହାସର ପ୍ରଥମ ନବକଳେବର ମାଧ୍ୟମରେ ସେମାନଙ୍କର ବିଶ୍ୱାସକୁ ପୁନରୁଦ୍ଧାର କରିବା ଏବଂ ଗୌରବ ଫେରାଇ ଆଣିବା ପାଇଁ ଏକ ଦିବ୍ୟ ମିଶନରେ ବାହାରି ଆସନ୍ତି ତାକୁ ନେଇ ପୂରା କାହାଣୀ । ଏହାକୁ ଶଙ୍କର ପ୍ରସାଦ ତ୍ରିପାଠୀ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୌଭାଗ୍ୟଲକ୍ଷ୍ମୀ ଜେନା ।
Comments are closed.