Latest Odisha News

BREAKING NEWS

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦେଶ ଏବଂ ରାଜନୀତିରେ କ’ଣ ରହିପାରେ ପ୍ରଭାବ?

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି । ୬୪ ବର୍ଷ ପାଦ ଥାପିବାର ପର ଦିନ (ଜୁନ ୨୧.୨୦୨୨) ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଯଦିଓ ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଥିଲେ ଦ୍ରୌପଦୀ କିନ୍ତୁ ସେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ବୋଲି ଏକ ପ୍ରକାର ଥୟ ଥିଲା। କିନ୍ତୁ ଏହି ପଦରେ ବସିବାକୁ ଏକ ନିର୍ବାଚନ ପ୍ରକ୍ରିୟାକୁ ସାମ୍ନା କରିବାକୁ ଥିଲା। ଦ୍ରୌପଦୀଙ୍କ ବିରୋଧରେ ମିଳିତ ବିରୋଧୀ ଦଳ ଯଶଓ୍ୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲେ। କିନ୍ତୁ ବିଡମ୍ବନାର କଥା ଯେଉଁ ମିଳିତ ବିରୋଧୀ ଏପରି ପ୍ରାର୍ଥୀ ଦେଇଥିଲେ ସେମାନଙ୍କ ମଧ୍ୟରେ ଅନେକ ଦଳର ନେତା ନିର୍ବାଚନରେ ଯଶଓ୍ୱନ୍ତଙ୍କୁ ଭୋଟ୍ ନଦେଇ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିଲେ। ଅର୍ଥାତ୍ ଯଶଓ୍ୱନ୍ତ ସିହ୍ନା ପ୍ରାର୍ଥୀ ହେବାର ସକରାତ୍ମକ ପ୍ରଭାବ ଦ୍ରୌପଦୀଙ୍କ ଉପରେ ପଡିଥିଲା।

ଦ୍ରୌପଦୀ ମୁର୍ମୁ ୧୯୯୦ରେ ତାଙ୍କ ରାଜନୈତିକ ଯାତ୍ରା ମୟୁରଭଞ୍ଜ ରାଇରଙ୍ଗପୁରର କାଉନସିଲରରୁ ନିର୍ବାଚିତ ହୋଇ ରାଇସିନା ହିଲରେ ପାଦ ଥାପିଛନ୍ତି। ଏଥିସହ ସେ ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ସମ୍ବିଧାନର ଏହି ସର୍ବୋଚ୍ଚ ଆସନରେ ବସିଛନ୍ତି। ସୋମବାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

ତେବେ ବିଜେପି କାହିଁକି ଦ୍ରୈପଦୀ ମୁର୍ମୁଙ୍କୁ ଏବଂ ଜଣେ ଆଦିବାସୀ ନେତ୍ରୀଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବାକୁ ଯୋଜନା କଲା ଏହାକୁ ନେଇ ଏବେ ଚର୍ଚ୍ଚା ବଢିଛି। ଦଳରେ ଦ୍ରୌପଦୀଙ୍କର କେହି ବିକଳ୍ପ ନଥିଲେ ନା ଦ୍ରୌପଦୀଙ୍କୁ ଏହି ଆସନରେ ବସାଇ ବିଜେପି ଆଗାମୀ ଦିନରେ ଅଧିକ ଲାଭବାନ ହେବ?

ଦ୍ରୌପଦୀ ମୁର୍ମୁ ସ୍ୱଚ୍ଛ ଓ ନିର୍ବିବାଦୀୟ ଭାବମୂର୍ତ୍ତିର ଅଧିକାରୀ । ବିଜେପି ଟିକେଟରୁ ସେ କାଉନସିଲର ହୋଇଥିଲେ ଏହାପରେ ସେ ଓଡ଼ିଶାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହାପରେ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କର ନମ୍ର ବ୍ୟବହାର ଓ ଅଭିଜ୍ଞତାକୁ ଦେଖି ବିଜେପି ତାଙ୍କୁ ରାଷ୍ଟ୍ରପତି ଆସନରେ ବସାଇଛି ବୋଲି ଜଣାପଡିଛି। ତେବେ ଏହା ପଛରେ ବିଜେପିର ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ରହିଛି। ଯାହା ଖାଲି ଆଖିକୁ ଦେଖନଗଲେ ମଧ୍ୟ ଯଦି ପାରିପାର୍ଶିକ ସ୍ଥିତିକୁ ଦେଖିବା ତାହେଲେ ସ୍ପଷ୍ଚ ବୁଝି ହେଉଛି ବିଜେପିର ଉଦ୍ଦେଶ୍ୟ କ’ଣ? ଗେରୁଆ ବ୍ରିଗେଡ୍ ମାଇନସ୍ (ବିଯୁକ୍ତ) ଅପେକ୍ଷା ଦ୍ରୌପଦୀଙ୍କ ଚୟନରେ ଅଧିକ ପ୍ଲସ୍ (ଯୁକ୍ତ) ପାଇଥିଲା। ୨୦୨୪ ରେ ନିର୍ଦ୍ଧାରିତ ପରବର୍ତ୍ତୀ ସାଧାରଣ ନିର୍ବାଚନ ପୂର୍ବରୁ, ଦ୍ରୌପଦୀ ପ୍ରଥମ ନାଗରିକ ହେବା ଦେଶ ଏବଂ ଏହାର ଶାସନ ପାଇଁ କ’ଣ ପ୍ରଭାବ ପକାଇପାରେ ?

ଆଦିବାସୀ କାର୍ଡ?

ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ଭାବେ ରାଇସିନା ହିଲରେ ବସିବା ଏହା ସାଧାରଣ ଭାବେ ଦେଶ ପାଇଁ ଏକ ବଡ଼ ମୁହୂର୍ତ୍ତ ସୃଷ୍ଟି କରିଛି। କାରଣ ଦ୍ରୌପଦୀ ସେପରି ଜଣେ ବଡ଼ ରାଜନେତା କିମ୍ବା ଚର୍ଚ୍ଚିତ ଚେହେରା ନଥିଲେ। ଏବେ କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଚେହେରା କରି ବିଜେପି ଗୋଟିଏ ବଡ ଭୋଟ୍ ବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ୨୦୧୧ ଜନଗଣନା ଅନୁସାରେ ଭାରତର ଜନସଂଖ୍ୟାର ୮.୬ ପ୍ରତିଶତରୁ ଅଧିକ ହେଉଛନ୍ତି ଆଦିବାସୀ। ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ସେମାନଙ୍କ ମଧ୍ୟରୁ ଜଣେ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଞ୍ଚି ଦେଶର ରାଜନୀତିକୁ ପ୍ରଭାବିତ କରିବା ଆରମ୍ଭ କରିଛନ୍ତି। ଝାଡଖଣ୍ଡ ଭଳି ରାଜ୍ୟରେ ଆଦିବାସୀ ଭୋଟକୁ ଏକତ୍ରିତ କରିବା ପାଇଁ ବିଜେପି ନିର୍ବାଚନ ସମୟରେ ଅନେକ ଥର ଦ୍ରୌପଦୀଙ୍କ କାଉନସିଲର-ଟୁ-ପ୍ରେସିଡେଣ୍ଟ କାହାଣୀ କହି ଏହାର ସର୍ବାଧିକ ଉପଯୋଗ କରିବାକୁ ଚେଷ୍ଟା କରିବ। ଛତିଶଗଡ଼, ମଧ୍ୟପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏହାର ମଧ୍ୟ ପ୍ରଭାବ ରହିବ। ଦ୍ରୌପଦୀ ଆଦିବାସୀ ବର୍ଗର ହୋଇଥିବାରୁ ଏବଂ ଓଡ଼ିଶାର ମୟୂରଭଞ୍ଜ ଓ ଅନ୍ୟ କେତେକ ଜିଲ୍ଲା ତଥା ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଆଦିବାସୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏହି ସବୁ ସ୍ଥାନରେ ବିଜେପି ସପକ୍ଷରେ ଭୋଟ୍ ବ୍ୟାଙ୍କ ବଢ଼ିବ ବୋଲି କୁହାଯାଉଛି। ୨୦୧୨ରେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ପାଇଁ ପି. ଏ. ସାଙ୍ଗମାଙ୍କ ଉଦ୍ୟମ ବିଫଳ ହୋଇଥିବା ବେଳେ ୧୦ ବର୍ଷ ପରେ ଦ୍ରୌପଦୀଙ୍କ ସଫଳତା ଏକାଧିକ କ୍ଷେତ୍ରରେ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇପାରେ।

ମହିଳା କାର୍ଡ

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପୂର୍ବରୁ ୨୦୦୭ରେ ପ୍ରତିଭା ପାଟିଲଙ୍କୁ ଦେଶର ୧୨ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ କରି ମହିଳା କାର୍ଡ ଖେଳିଥିଲା। ଏବେ ସଶସ୍ତ୍ର ବାହିନୀର ଦ୍ୱିତୀୟ ମହିଳା ସୁପ୍ରିମ କମାଣ୍ଡର ହେବା ଭାରତରେ କୋଟି କୋଟି ଲୋକଙ୍କ ପାଇଁ ମହିଳା ସଶକ୍ତିକରଣର ଏକ ଉଦାହରଣ ପାଲଟିଛନ୍ତି। ଗରିବ ପରିବାରରୁ ଆସିଥିବା ଜଣେ ମହିଳା ସବୁ ପ୍ରତିକୂଳ ପରିସ୍ଥିତିରେ ବିଜୟୀ ହୋଇ ରାଷ୍ଟ୍ରପତି ଭବନରେ ପହଞ୍ଚିପାରିବ ଏହା ହେଉଛି ଗୋଟିଏ ବଡ ଉଦାହରଣ । ଏପରି ଘଟଣା ପରିବାରବାଦ ରାଜନୀତି ଉପରେ ଗୋଟିଏ ବଡ ପ୍ରଭାବ ପକାଇବ ବୋଲି କୁହାଯାଉଛି। ବିଜେପି ଏହି ପରିବାରବାଦ ପ୍ରସଙ୍ଗରେ ଲଢେଇ କରି ବିରୋଧୀ କଂଗ୍ରେସକୁ ଦୁର୍ବଳ କରିବାରେ ଏକ ପ୍ରକାର ସଫଳ ହୋଇଛି। ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ମହିଳା ସଶକ୍ତିକରଣ କଥା ହେଉଛନ୍ତି ସେତେବେଳେ ଜଣେ ମହିଳା ରାଷ୍ଟ୍ରପତି ହେବା ଅନେକ କିଛି ସୂଚାଉଛି। ମହିଳା ଭୋଟ ହାତେଇବାକୁ ବିଜେପି ଏବେ ନିଜର ରଣନୀତିରେ ଟିକିଏ ପରିବର୍ତ୍ତନ କରିଛି। ଜଣେ ଆଦିବାସୀ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଇ ଏହାର ଲାଭ ଏନଡିଏ ନିର୍ବାଚନ ସମୟରେ ନେବାକୁ ପ୍ରୟାସ କରିପାରେ।

ଦୁଃଖ ଏବଂ ବିଜୟ

ଦ୍ରୌପଦୀ ମୁର୍ମୁ କେବଳ ଆଦିବାସୀ ନେତା ନୁହନ୍ତି ବରଂ ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ରହିବେ। ତାଙ୍କର ବ୍ୟକ୍ତିଗତ ଦୁଃଖଦ ଘଟଣା (୨୦୦୯ ରୁ ୨୦୧୪ ମଧ୍ୟରେ ଦୁଇ ପୁଅ, ସ୍ୱାମୀ, ମା ଏବଂ ଭାଇଙ୍କୁ ହରାଇଥିଲେ) ଯାହାକି ତାଙ୍କୁ ଜଣେ ସାହସୀ ବ୍ୟକ୍ତି ଭାବରେ ପରିଣତ କରିଥିଲା ​​ଢ ଏତେ ବିଧାବିଘ୍ନ ପରେ ବି ସେ ଧୈର୍ଯ୍ୟ ନହାଇ ତାଙ୍କ କାମ କରିବାରେ ସଫଳ ହୋଇଛନ୍ତି। ଯାହା ତାଙ୍କୁ ଜଣେ ସଶକ୍ତ ଏବଂ ସାହସୀ ମହିଳା ଭାବେ ପରିଚୟ ଦେଇଛି। ଯଦିଓ ସେ ଜଣେ ଉଚ୍ଚ ବର୍ଗର ବୁଦ୍ଧିଜୀବୀ ଭାବେ ପରିଚିତ ନୁହନ୍ତି କିନ୍ତୁ ଏହାର ପ୍ରତିକୂଳ ପ୍ରଭାବ (ଧୈର୍ଯ୍ୟ ଏବଂ ସାହାସୀ) ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିପାରେ। କିନ୍ତୁ ବିରୋଧୀ ଦୌପଦୀଙ୍କ ଦକ୍ଷତା ପ୍ରସଙ୍ଗରେ ସମାଲୋଚନା କରିପାରନ୍ତି। କିନ୍ତୁ ସେ ରାଷ୍ଟ୍ରପତି ଆସନରେ ବସିଥିବାରୁ ସମାଲୋଚନା କରିବା ମହଙ୍ଗା ମଧ୍ୟ ହୋଇପାରେ।

ମୟୂରଭଞ୍ଜ ଓ ପୂର୍ବୋଦୟ

ଯଦିଓ ଦ୍ରୌପଦୀ ମୁର୍ମୁ ପୂର୍ବ ଭାରତର ରାଷ୍ଟ୍ରପତି ଆସନରେ ବସିବାର ପ୍ରଥମ ବ୍ୟକ୍ତି ନୁହନ୍ତି, ତଥାପି ତାଙ୍କ ନିର୍ବାଚନ ପୂର୍ବ ଭାରତ ପାଇଁ ଅନେକ ରାଜନୀତିକ ଗୁରୁତ୍ୱ ବହନ କରେ। ବିଶେଷ କରି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ପୂର୍ବୋଦୟ ବିଷୟରେ ନାରା ଦେଉଛନ୍ତି। ଉତ୍ତର ଭାରତର ମୟୂରଭଞ୍ଜ ଏପରି ଏକ ସ୍ଥାନ ଯାହା ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ଯୋଡ଼ିଛି। ଯାହାର ରାଜନୈତିକ ପ୍ରଭାବ ଏହି ଦୁଇ ରାଜ୍ୟରେ ରହିବ । ତେଣୁ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିବା ପାଇଁ ବିଜେପି ଶୀର୍ଷସ୍ତରୀୟ ନେତାଙ୍କ ନିଷ୍ପତ୍ତି ଝାଡଖଣ୍ଡର ଶାସକ ଦଳ ଜେଏମ୍ଏମ୍ ଭଳି ଦଳକୁ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ବାଧ୍ୟ କରିଛି। ଅଣ-ଏନଡିଏ ମଧ୍ୟରେ ବିଜେଡି, ଓ୍ୱାଇଏସଆର କଂଗ୍ରେସ, ଟିଡିପି ଆଦି ଦଳକୁ ମଧ୍ୟ ଭୋଟ୍ ଦେବାକୁ ବାଧ୍ୟ କରିଛି। ଏପରିକି ନିର୍ବାଚନ ବେଳେ ବିରୋଧୀ ଟିଏମସି ଏବଂ କଂଗ୍ରେସ ଶିବିରରୁ କ୍ରସ୍ ଭୋଟିଂ ହୋଇଥିବାର ମଧ୍ୟ ନଜିର ରହିଛି। ଯାହାକି ମୋଦୀ ସରକାରର ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି।

Leave A Reply

Your email address will not be published.