Latest Odisha News

BREAKING NEWS

କଲେଜ ଜୀବନ କଥା ମନେ ପକାଇଲେ ରାଷ୍ଟ୍ରପତି, କହିଲେ ‘ସଫଳ ହେବାକୁ ନିଜ ଉପରେ ଆସ୍ଥା ଜରୁରୀ’

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଭିଭାଷଣ ସମୟରେ ରାଷ୍ଟ୍ରପତି ତାଙ୍କ ପୁରୁଣା ସ୍ମୃତି ମନେ ପକାଇ ଅନୁଷ୍ଠାନର ଛାତ୍ରୀ ହୋଇଥିବାରୁ ଗର୍ବିତ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ ।

ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ଭୁବନେଶ୍ୱରରୁ ବହୁ ଦୂର ମୟୂରଭଞ୍ଜରୁ ଆସି ଏଠି ୪ ବର୍ଷ ରମାଦେବୀ ମହାବିଦ୍ୟାଳୟରେ ପାଠ ପଢ଼ୁଥିଲି । ଜୀବନର ଗତିପଥରେ ଶିକ୍ଷାନୁଷ୍ଠାନ ପ୍ରେରଣା ଦେଇଛି । ପରିବାର ପରିଚାଳନାରୁ ଦେଶ ସଶକ୍ତ ସବୁଠି ନାରୀମାନେ ନିଜ ପାରଦର୍ଶିତା ପ୍ରମାଣିତ କରିଛନ୍ତି ।

କସ୍ତୁରବା, ସରୋଜିନୀ ନାଇଡୁଙ୍କ ଠାରୁ ଆରମ୍ଭ କରି ରମାଦେବୀଙ୍କ ପର୍ଯ୍ୟନ୍ତ ନାରୀମାନେ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ଥିଲେ । ପୁଅମାନଙ୍କ ସହଲ ଝିଅମାନେ ସମକକ୍ଷ । ଝିଅ ପାଇଲଟ୍ ସାଜି ବିମାନ ଉଡ଼ାଣ କରୁଛନ୍ତି, ସୀମାରେ ଦେଶକୁ ସୁରକ୍ଷା ଦେଉଛନ୍ତି । ସବୁଠି ଝିଅଙ୍କ ଦକ୍ଷତା ପ୍ରମାଣିତ ହୋଇଛି ।

ଆମର ମଙ୍ଗଳ ମିଶନ, ଗଗନଯାନ ଏବେ ଚର୍ଚ୍ଚାରେ । ମଙ୍ଗଳ ମିଶନ ପଛରେ ବିଶିଷ୍ଟ ନାରୀ ବୈଜ୍ଞାନିକଙ୍କ ଟିମର ବିଶେଷ ଭୂମିକା ରହିଛି । ଖେଳରେ ବି ଝିଅ ଖେଳାଳି ପଦକ ଜିତିଛନ୍ତି । ସେମାନଙ୍କୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଶ୍ରାବଣୀ ନନ୍ଦଙ୍କୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି ।

ପଞ୍ଚାୟତରୁ ସଂସଦ ଯାଏ ସବୁଠି ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ୁଛି । ସଂସଦରେ ଶହେରୁ ଅଧିକ ମହିଳା ସାଂସଦ ଅଛନ୍ତି । ନାରୀ ଶକ୍ତିକୁ ସଶକ୍ତ ହେବାକୁ ପଡ଼ିବ, ଟାଣ ହେବାକୁ ପଡ଼ିବ । ଏଥିପାଇଁ ସରକାରୀ ସ୍ତରରେ ପ୍ରୟାସ କରାଯାଉଛି, ଆମକୁ ମଧ୍ୟ କଠିନ ପରିଶ୍ରମ, ପ୍ରଚେଷ୍ଟା କରିବାକୁ ପଡ଼ିବ । ପ୍ରତିକଥା ସରକାରଙ୍କ ଉପରେ ନଛାଡ଼ି ନିଜ ଉପରେ ନେବାକୁ ପଡ଼ିବ ।

ଜୀବନ ବିଶ୍ୱବିଦ୍ୟାଳୟରେ ସଫଳ ହେବାକୁ ହେଲେ ନିଜ ଉପରେ ଆସ୍ଥା ରଖିବାକୁ ପଡ଼ିବ । ନିଜ ଭିତର ଅନ୍ତଃନିହିତ ଶକ୍ତିକୁ ଚିହ୍ନି ବାହାରକୁ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାଜର ଆବଶ୍ୟକତା ଅନୁସାରେ, ଶରୀରର ଗଠନ ଭିନ୍ନ ଶକ୍ତି ସାମର୍ଥ୍ୟ ଏକପ୍ରକାର । ପ୍ରଚେଷ୍ଟା କଲେ ପୁଅ ଠାରୁ ଝିଅ ପଛରେ ରହିବ ନାହିଁ ।

ଏବେ ଜାତି ଆଗ, ବ୍ଯକ୍ତି ପଛ । ଜାତି ଆଗ ହେବା ଲାଗି ବ୍ୟକ୍ତିଙ୍କୁ କାମ କରିବାକୁ ପଡ଼ିବ । ଆତ୍ମବିଶ୍ୱାସ ରହିଲେ ସବୁ କିଛି ସମ୍ଭବ ହୋଇ ପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି । ଏବେ ସ୍ଥିତି ବଦଳୁଛି । ଆମେ ମନ ବଦଳାଇବା । ଯେଉଁ ଝିଅମାନେ ଅଧାରୁ ପାଠ ଛାଡ଼ିଛନ୍ତି ତାଙ୍କୁ ପୁଣି ପଢ଼ିବା ଲାଗି ଡାକିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି । ଆମକୁ ଆଧୁନିକ ଜ୍ଞାନକୌଶଳକୁ ଆପଣାଇବାକୁ ପଡ଼ିବ । ଟେକ୍ନୋଲୋଜି ସହ ଅନ୍ଯ କ୍ଷେତ୍ରରେ ପାରଙ୍ଗମ ହେବାକୁ ପଡ଼ିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.