Latest Odisha News

BREAKING NEWS

ଦାୟିତ୍ଵ ନେବା ପରେ ଗବାଇଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ: ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ 

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍‌ ବି.ଆର୍ ଗବାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିସହିତ ଦାୟିତ୍ଵ ନେବା ପରେ ରାଷ୍ଟ୍ରପତି ଗବାଇଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ତାମିଲନାଡୁ ରାଜ୍ୟପାଳଙ୍କ ରାୟ ଉପରେ ରାଷ୍ଟ୍ରପତି ଧାରା ୧୪୩ ମାଧ୍ୟମରେ ମତାମତ ଲୋଡ଼ିଛନ୍ତି।

ଏନେଇ ସିଜେଆଇଙ୍କୁ ୧୪ଟି ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି। ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଉଥିବା ବେଳେ, ବୁଧବାର ଦେଶର ସର୍ବୋଚ୍ଚ ନ୍ୟାୟିକ ଅଧିକାରୀ ଭାବରେ ଶପଥ ଗ୍ରହଣ କରିଥିବା ଜଷ୍ଟିସ୍ ବି.ଆର. ଗବାଇ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ବିଲ୍ ପାଇଁ ଅନୁମୋଦନ ପାଇଁ ଏକ ସମୟସୀମା ସ୍ଥିର କରିବାଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ନ୍ୟାୟ ପ୍ରଦାନ କରିବା ପାଇଁ ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ଅସାଧାରଣ କ୍ଷମତା ବ୍ୟବହାର କରିବା ପର୍ଯ୍ୟନ୍ତ ନେଇ ମୋଟ ୧୪ଟି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି।

ତାମିଲନାଡୁ ରାଜ୍ୟପାଳ ମାମଲାରେ ଏକ ଐତିହାସିକ ରାୟରେ ଦୁଇ ଜଣିଆ ଖଣ୍ଡପୀଠ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯାଇଥିବା ଅନୁଯାୟୀ, ସୁପ୍ରିମକୋର୍ଟ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ପାଇଁ ଏକ ସମୟସୀମା ସ୍ଥିର କରିପାରିବେ କି ନାହିଁ ସେ ବିଷୟରେ ରାଷ୍ଟ୍ରପତିଙ୍କ ପ୍ରଶ୍ନର ଉତ୍ତର ଦେବାରେ ନୂତନ ଭାବରେ ଶପଥ ଗ୍ରହଣ କରିଥିବା ମୁଖ୍ୟ ବିଚାରପତି (ସିଜଆଇ), ବି.ଆର. ଗବାଇ ତାଙ୍କର ପ୍ରଥମ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି।

ରାଷ୍ଟ୍ରପତି ସମ୍ବିଧାନର ଧାରା ୧୪୩ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଐତିହାସିକ ତାମିଲନାଡୁ ରାଜ୍ୟପାଳଙ୍କ ରାୟରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପରାମର୍ଶ ନେଇଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ନ୍ୟାୟାଳୟକୁ ପଚାରିଛନ୍ତି: ଯେତେବେଳେ ସମ୍ବିଧାନ ସମୟସୀମା ସ୍ଥିର କରିନାହିଁ, ସେତେବେଳେ ସୁପ୍ରିମକୋର୍ଟ କିପରି ସମୟସୀମା ସ୍ଥିର କରିପାରିବେ?”। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଢ଼ାଯାଇଥିବା ୧୪ଟି ପ୍ରଶ୍ନର ମତାମତ ପ୍ରଦାନ କରିବା ପାଇଁ ଭାରତର ମୁଖ୍ୟ ବିଚାରପତି ଗବାଇ ଏବେ ପାଞ୍ଚ କିମ୍ବା ତତୋଧିକ ବିଚାରପତିଙ୍କୁ ନେଇ ଏକ ସମ୍ବିଧାନ ଖଣ୍ଡପୀଠ ଗଠନ କରି ଏହାର ଶୁଣାଣି କରିବେ ବୋଲି ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ଏହି ମାମଲା ତାମିଲନାଡୁର ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ପରେ ଆରମ୍ଭ ହୋଇଥିଲା। ରାଜ୍ୟପାଳ ରାଜ୍ୟ ସରକାରଙ୍କ ବିଲ୍ ବନ୍ଦ କରିଦେଇଥିଲେ। ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଯେ ରାଜ୍ୟପାଳଙ୍କ ପାଖରେ କୌଣସି ଭିଟୋ କ୍ଷମତା ନାହିଁ। କୋର୍ଟ କହିଛନ୍ତି ଯେ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ରାଷ୍ଟ୍ରପତିଙ୍କୁ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ପଚାରିଥିବା ପ୍ରଶ୍ନଗୁଡ଼ିକ ସମ୍ବିଧାନର ଧାରା ୨୦୦, ୨୦୧, ୩୬୧, ୧୪୩, ୧୪୨, ୧୪୫(୩) ଏବଂ ୧୩୧ ସହିତ ଜଡିତ । ଯାହାକୁ ନେଇ ରାଷ୍ଟ୍ରପତି ପଚାରିଛନ୍ତି ଯେ ରାଜ୍ୟପାଳଙ୍କ ପାଖକୁ କୌଣସି ବିଲ୍ ଆସିଲେ ତାଙ୍କ ପାଖରେ କ’ଣ ବିକଳ୍ପ ଅଛି ଏବଂ ରାଜ୍ୟପାଳ ମନ୍ତ୍ରୀ ପରିଷଦର ପରାମର୍ଶ ପାଳନ କରିବାକୁ ବାଧ୍ୟ କି? ପରି ମୋଟ ୧୪ଟି ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି ମୁର୍ମୁ ସୁପ୍ରିମକୋର୍ଟଙ୍କୁ ପଚାରିଥବା କିଛି ପ୍ରଶ୍ନ:

  • ବିଲ୍ ପାସ୍ ହେବା ପରେ ରାଜ୍ୟପାଳଙ୍କ ପାଖରେ କ’ଣ ସାମ୍ବିଧାନିକ ବିକଳ୍ପ ଅଛି?
  • ନିଷ୍ପତ୍ତି ନେବା ସମୟରେ ରାଜ୍ୟପାଳ ମନ୍ତ୍ରୀ ପରିଷଦର ପରାମର୍ଶ ଗ୍ରହଣ କରିବା ବାଧ୍ୟତାମୂଳକ କି?
  • ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ କି?
  • ଧାରା ୩୬୧ କ’ଣ ରାଜ୍ୟପାଳଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷାକୁ ରୋକିପାରିବ?
  • ଯଦି ସମ୍ବିଧାନରେ ରାଜ୍ୟପାଳଙ୍କ ପାଇଁ କୌଣସି ସମୟ ସୀମା ନାହିଁ, ତେବେ କୋର୍ଟ କ’ଣ ଏହା ନିଷ୍ପତ୍ତି ନେଇପାରିବେ?
  • ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ କି?
  • ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପାଇଁ କୋର୍ଟ କ’ଣ ସମୟସୀମା ସ୍ଥିର କରିପାରିବେ?
  • ରାଷ୍ଟ୍ରପତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ମତାମତ ନେବା ବାଧ୍ୟତାମୂଳକ କି?
  • ଏଥିସହିତ ରାଷ୍ଟ୍ରପତି ଧାରା ୧୪୨ ସହିତ ଜଡିତ ଏକ ପ୍ରଶ୍ନ ପଚାରିଥିଲେ, କହିଥିଲେ, ଧାରା ୧୪୨ ଅନୁଯାୟୀ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ସାମ୍ବିଧାନିକ କାର୍ଯ୍ୟ ଏବଂ ନିର୍ଦ୍ଦେଶ ପରିବର୍ତ୍ତନ କରାଯାଇପାରିବ କି?

Comments are closed.