Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଫଟୋକୁ ନେଇ ବିବାଦ କାହିଁକି?

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୨୦ ତାରିଖରେ ନୂଆଦିଲ୍ଲୀର ହଜଖାସ୍ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ଅବସରରେ ଯାଇ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଦିନ ତାଙ୍କର ଜନ୍ମଦିନ ମଧ୍ୟ ଥିଲା।

ରାଷ୍ଟ୍ରପତି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଜୁହାର ହେଉଥିବାର ଫଟୋ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। ତେବେ ଫଟୋରେ ଶ୍ରୀମନ୍ଦିର ଗର୍ଭଗୃହ ବାହାରେ ରାଷ୍ଟ୍ରପତି ହାତ ଯୋଡି ଠାକୁରଙ୍କୁ ଜୁହାର ହେଉଥିବାର ଦେଖିବାକୁ ମିଳିଛି।

ଏହାକୁ ନେଇ କିଛି ବିବାଦ ଦେଖାଦେଇଛି, ଦେଶର ପ୍ରଥମ ନାଗରିକ ହୋଇ ମଧ୍ୟ ରାଷ୍ଟ୍ରପତି କାହିଁକି ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିବାକୁ ଯାଇନଥିଲେ ବୋଲି କିଛି ପ୍ରଶ୍ନ ଉଠାଇଛନ୍ତି। ସେ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ଗର୍ଭଗୃହରେ ପ୍ରବେଶ କରିବାକୁ ବାରଣ କରାଯାଇଥିବା କେତେକ ଅଭିଯୋଗ କରିଛନ୍ତି।

ଏହି ବିବାଦ ସେତେବେଳେ ଆସିଛି ଯେତେବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ନବ ସମାନ ମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିବାର ଫଟୋ ସାମ୍ନାକୁ ଆସିଲା।

ମନ୍ଦିର ଅଧିକାରୀମାନେ ଏସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ରାଷ୍ଟ୍ରପତି ନିଜେ ଗର୍ଭଗୃହକୁ ପ୍ରବେଶ କରିବାକୁ ଚାହୁଁ ନ ଥିଲେ ଏବଂ ବାହାରୁ ପୂଜାର୍ଚ୍ଚନା କରିଥିଲେ। ସେମାନେ ଏହା ମଧ୍ୟ କହିଛନ୍ତି ଯେ ମନ୍ଦିରରେ ଆଦିବାସୀଙ୍କ ପ୍ରତି କୌଣସି ଭେଦଭାବ ନାହିଁ ଏବଂ ଲୋକମାନେ ବିବାଦ ସୃଷ୍ଟି କରିବାରୁ ଦୂରେଇ ରୁହନ୍ତୁ।

ସେହିପରି ରାଷ୍ଟ୍ରପତିଙ୍କ ବାୟୋଗ୍ରାଫି ‘ମାଡାମ ପ୍ରେସିଡେଣ୍ଟ’ ଲେଖିଥିବା ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ମଧ୍ୟ ସମାନ କଥା କହିଛନ୍ତି। ମନ୍ଦିର ପ୍ରଶାସନଠୁ ବୁଝିବା ପରେ ସନ୍ଦୀପ ସାହୁ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ରାଷ୍ଟ୍ରପତି ଭିତରକୁ ନଯାଇ ବାହାରୁ ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.