Latest Odisha News

BREAKING NEWS

ମନେ ରହିବେ ଟାଟା ‘ରତନ’: ‘ଜଣେ ସହୃଦୟ, ଦରଦୀ ମଣିଷଟେ’

ମୁମ୍ବାଇ: ରତନ ଟାଟା, ଜଣେ ଅଦ୍ବିତୀୟ ତାରା । ଜଣେ ଏମିତି ଶିଳ୍ପପତି ଯାହାର ବିୟୋଗରେ ସାରା ଦେଶର ହୃଦୟ କାନ୍ଦୁଛି । ବୟସ ଅଧିକ ଯୋଗୁଁ ବୁଧବାର ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଖାଲି ଯେ ସେ ଜଣେ ଭଲ ଶିଳ୍ପପତି ଥିଲେ ଏବଂ ଦେଶର ଅର୍ଥନୀତିକୁ ବୃଦ୍ଧି କରାଇବାରେ ତାଙ୍କର ବଡ ହାତ ଥିଲା, ତେଣୁ ଏ ଦେଶ ଆଜି ତାଙ୍କୁ ମନେ ପକାଉଛି, ତାହା ନୁହେଁ, ବରଂ ନିଜର ଅମାୟିକ ବ୍ୟକ୍ତିତ୍ବ, ସରଳ ଜୀବନଶୈଳୀ, ମେଳାପି ସ୍ବଭାବ ଏବଂ ବଦାନ୍ୟତା ପାଇଁ ଘରେ ଘରେ ପରିଚିତ ଥିଲେ ରତନ ଟାଟା । ଆଜି ଘରର ରୋଷଶାଳା ଠାରୁ ଆରମ୍ଭ କରି ଗ୍ୟାରେଜ ପର୍ଯ୍ୟନ୍ତ ସବୁଠି ଯେମିତି ତାଙ୍କର ସେହି ପାରିବାର ପଣିଆର ନିଦର୍ଶନ ଝଲସି ଉଠୁଛି ।

ଯାହାଙ୍କ ବିୟୋଗରେ ଆଜି ଶିଳ୍ପ ଜଗତ ସମେତ ପୂରା ଦେଶରେ ଶୋକର ଛାୟା ଖେଲିଯାଇଥିବା ବେଳେ ଶୋକ ପ୍ରକାଶ କରିଛନ୍ତି ଦେଶର ବିଭିନ୍ନ ମାନ୍ୟଗଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ । ବିଜନେସ ଟାଇକୋନ ରତନ ଟାଟାଙ୍କ ଦେହାନ୍ତରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଆଜି ଦିନିକିଆ ଶୋକ ପାଳନ କରଯାଇ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଥିବା ବେଳେ ଶୋକ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଭାରତ ଜଣେ ଆଇକନଙ୍କୁ ହରାଇଛି। ଦେଶ ପାଇଁ ତାଙ୍କ ଅବଦାନ ଅମୂଲ୍ୟ ଅଟେ।

ସେହିପରି ଉପରାଷ୍ଟ୍ରପତି ଧନକଡ ନିଜ ଏକ୍ସରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ଆତ୍ମ ନିର୍ଭରଶୀଳ ଭାରତ ଗଠନରେ ତାଙ୍କ ଅବଦାନ ଭାରତ ତଥା ବାହାରେ ଉଦ୍ୟୋଗୀମାନଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହିବ।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନେଇ ନିଜ ଏକ୍ସରେ ଶୋକ ପ୍ରକଶଶ କରିବା ସହ ଲେଖିଛନ୍ତି ‘ରତନ ଟାଟା ଜଣେ ଦୂରଦ୍ରଷ୍ଟା ସମ୍ପନ୍ନ, ଦୟାଳୁ ଆତ୍ମା ସହ ଜଣେ ସରଳିଆ ମଣିଷ ଥିଲେ। ସେ ସହୃଦୟ ଓ ଦରଦୀ ମଣିଷ ଥିଲେ । ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କୁ ଅନେକ ଥର ଭେଟିଛି ।’

ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟପାଳ ରଘୁବର ଦାସ ମଧ୍ୟ ନିଜ ସୋସିଆଲ ମିଡିଆ ଏକ୍ସରେ ଶୋକ ପ୍ରକାଶ କରିବା ସହିତ ରତନ ଟାଟାଙ୍କ ନିମନ୍ତେ ଶୋକବାର୍ତ୍ତା ଲେଖିଛନ୍ତି ।

Leave A Reply

Your email address will not be published.