Latest Odisha News

ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। କର୍ପୋରେଟ୍ ଅଭିବୃଦ୍ଧିକୁ ରାଷ୍ଟ୍ର ନିର୍ମାଣ ଏବଂ ଉତ୍କର୍ଷତାକୁ ନୈତିକତା ସହ ଯୋଡ଼ିଥିବା ଜଣେ ଚେହେରାକୁ ଭାରତ ହରାଇଛି।

ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ସେ ଟାଟାଙ୍କ ମହାନ ପରମ୍ପରାକୁ ଆଗକୁ ବଢ଼ାଇଥିଲେ ଏବଂ ଏହାକୁ ଆହୁରି ପ୍ରଭାବଶାଳୀ ବିଶ୍ୱସ୍ତରୀୟ ଉପସ୍ଥିତି ପ୍ରଦାନ କରିଥିଲେ । ମୁଁ ତାଙ୍କ ପରିବାର, ଟାଟା ଗ୍ରୁପର ସମଗ୍ର ଟିମ୍ ଏବଂ ସମଗ୍ର ବିଶ୍ୱରେ ଥିବା ତାଙ୍କ ପ୍ରଶଂସକଙ୍କୁ ମୋର ସମବେଦନା ଜଣାଉଛି  ବୋଲି ରାଷ୍ଟ୍ରପତି ଶୋକବାର୍ତ୍ତାରେ କହିଛନ୍ତି।

ରତନ ଟାଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ରତନ ଟାଟା ଜଣେ ଦୂରଦର୍ଶୀ ଶିଳ୍ପପତି, ଦୟାଳୁ ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ସେ ତାଙ୍କ ନମ୍ରତା, ଦୟା ଏବଂ ଆମ ସମାଜର ଉନ୍ନତି ପାଇଁ ଅତୁଟ ପ୍ରତିବଦ୍ଧତା ଯୋଗୁଁ ଅନେକଙ୍କ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି।

ସେପଟେ ରତନ ଟାଟାଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରତନ ଟାଟା ଭାରତୀୟ ଉଦ୍ୟୋଗର ଜଣେ ଦକ୍ଷ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସେ ଦୁଃଖିତ। ରତନ ଟାଟାଙ୍କ ମୃତ୍ୟୁକୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି- ରତନ ଟାଟାଙ୍କ ଅନୁପସ୍ଥିତିକୁ ମୁଁ ଗ୍ରହଣ କରିପାରୁନାହିଁ। ଭାରତର ଅର୍ଥନୀତି ଏକ ଐତିହାସିକ ଉନ୍ନତିର ଦ୍ୱାରରେ ରହିଛି । ଏବଂ ରତନ ଟାଟାଙ୍କର ଏଥିପାଇଁ ଗୋଟିଏ ବଡ଼ ଅବଦାନ ରହିଛି। ରତନ ଟାଟାଙ୍କ ବିୟୋଗରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ରତନ ଟାଟାଙ୍କ ବିୟୋଗରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ରତନ ଟାଟା ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଥିଲେ। ସେ ଉଭୟ ବ୍ୟବସାୟ ଏବଂ ପରୋପକାର କ୍ଷେତ୍ରରେ ଏକ ଅବିସ୍ମରଣୀୟ ଛାପ ଛାଡିଛନ୍ତି ।

ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କ ବିୟୋଗରେ ସେ ଦୁଃଖ ପ୍ରକାଶ କରିଛନ୍ତି। ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଭାରତୀୟ ଶିଳ୍ପର ଜଣେ ପ୍ରମୁଖ ଚେହେରା ଏବଂ ଜଣେ ସମାଜସେବୀ ଥିଲେ । ତାଙ୍କ ବିୟୋଗ ଭାରତୀୟ ବ୍ୟବସାୟ ଓ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହେବ। ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ ସହକର୍ମୀଙ୍କ ପ୍ରତି ରାହୁଲ ଗାନ୍ଧୀ ସମବେଦନା ଜଣାଇଛନ୍ତି।

ରତନ ଟାଟାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲେଖିଛନ୍ତି ଯେ- ରତନ ଟାଟାଙ୍କ ଭଳି କିଛି ଲୋକ ନିଜର ଦୂରଦୃଷ୍ଟି ଓ ସଚ୍ଚୋଟତା ବଳରେ ଏହି ଦୁନିଆରେ ଏକ ସ୍ଥାୟୀ ଛାପ ଛାଡ଼ିଛନ୍ତି। ଆଜି ଆମେ କେବଳ ଜଣେ ଶିଳ୍ପପତିଙ୍କୁ ହରାଇନାହୁଁ, ବରଂ ଜଣେ ପ୍ରକୃତ ମଣିଷ ହିତରେ କାମ କରୁଥିବା ବ୍ୟକ୍ତିଙ୍କୁ ହରାଇଛୁ। ଯାହାଙ୍କ ଛାପ ପ୍ରତ୍ୟେକ ହୃଦୟରେ ବଞ୍ଚି ରହିଛି । ତାଙ୍କ ବିୟୋଗରେ ମୁଁ ଦୁଃଖିତ।

ରତନ ଟାଟାଙ୍କ ବିୟୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଦୁଃଖ ପ୍ରକାଶ କରିଛନ୍ତି। ରତନ ଟାଟା ନୈତିକ ନେତୃତ୍ୱର ଉଦାହରଣ ସୃଷ୍ଟି କରି ସବୁବେଳେ ଦେଶ ଓ ଲୋକଙ୍କ କଲ୍ୟାଣକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ଦୟା, ନମ୍ରତା ଏବଂ ଉତ୍ସାହ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା ।

Leave A Reply

Your email address will not be published.