Latest Odisha News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହିତ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ମଧ୍ୟ ଏହି ଗସ୍ତରେ ଆସିଛନ୍ତି । ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜି ରାତିରେ ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଝାରସୁଗୁଡ଼ା ଯିବେ । ସେଠାରୁ ରାଉରକେଲା ଯାଇ ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି । ଏହାପରେ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି । ସେହିପରି ୨୨ ତାରିଖରେ ପୁରୀ ଗସ୍ତ କରି ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏହାପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବା ପରେ ଭୁବନେଶ୍ବର ଫେରିଆସିବେ । ୨୨ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।

Leave A Reply

Your email address will not be published.