ଇମ୍ଫାଲ: ମୁଖ୍ୟମନ୍ତ୍ରୀ ପାଇଁ ନୂଆ ନେତା ଦେଇପାରିଲାନି ବିଜେପି । ଶେଷରେ ମଣିପୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବିରେନଙ୍କ ଇସ୍ତଫାର କିଛି ଦିନ ପରେ ଅର୍ଥାତ୍ ଗତକାଲିଠୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ପଦରୁ ଇସ୍ତଫା ଦେଇଥିଲେ ।
ହିଂସା କବଳିତ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ବିଧାନସଭାକୁ ସ୍ଥଗିତ ରଖିବାର ଗୋଟିଏ ଦିନ ପରେ, ବିବାଦଗ୍ରସ୍ତ ମଣିପୁରରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ଏବେ ତାହା ଉପରେ ସମସ୍ତଙ୍କ ନଜର ।
ସେପଟେ ଏବେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରପତି ଶାସନ ଘୋଷଣା ପରେ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାକୁ ନେଇ ଅଧିକାରୀମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ତାଙ୍କ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ଗୁରୁବାର (୧୩ ଫେବୃଆରୀ, ୨୦୨୫) ସନ୍ଧ୍ୟାରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ଏବଂ ବିଧାନସଭାକୁ ସ୍ଥଗିତ ରଖାଯାଇଥିଲା, ଯାହା ରାଜ୍ୟରେ ରାଜନୈତିକ ଅନିଶ୍ଚିତତା ସୃଷ୍ଟି କରିଥିଲା । ଏଥିପାଇଁ ଏଠିକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଉତ୍ତର-ପୂର୍ବ ପ୍ରଭାରୀ ସମ୍ବିତ ପାତ୍ର ଏବଂ ବିଧାୟକମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ, ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ସହମତି ହୋଇପାରିନଥିଲା । ଫଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଣିପୁରର ରାଜ୍ୟପାଳଙ୍କ ଠାରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରିପୋର୍ଟ ପାଇବା ପରେ ତାହା ଉପରେ ବିଚାର ବିମର୍ଶ କରିଥିଲେ ଓ ସେଠାରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସରକାର ଚଳାଇବା ଅସମ୍ଭବ ବୋଲି ଦର୍ଶାଇ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ ।
ତେବେ ମଣିପୁରରେ ବିଜେପି ସରକାରର ନେତୃତ୍ୱ ନେଉଥିବା ବିରେନ୍ ସିଂହ ପ୍ରାୟ ୨୧ ମାସ ଧରି ଚାଲିଥିବା ଜାତିଗତ ହିଂସା ପରେ ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହି ହିଂସାରେ ଏପର୍ଯ୍ୟନ୍ତ ୨୫୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହିଂସା, ବର୍ବରତା ଚରମତା ଛୁଇଁଲାଣି । ହେଲେ ଏବେ ବି ମଣିପୁର ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ଆଭିମୁଖ୍ୟ କିଛି ସ୍ପଷ୍ଟ ନଥିବା କାରଣରୁ ସେଠି ଦିନକୁ ଦିନ ହିଂସାର ମାତ୍ରା ବଢିଛି । ଆଉ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସେଠାକାର ସ୍ଥିତି ଉପରେ ପୂରା ଦେଶର ନଜର ରହିଛି ।
Comments are closed.