Latest Odisha News

BREAKING NEWS

ବଦଳିବ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଢାଞ୍ଚା, ସ୍କୁଲ ପରିଚାଳନା କମିଟିକୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସହ ଜଡ଼ିତ ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରିୟାଶୀଳ କରାଯିବ । କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ଦିଆଯିବ ପ୍ରଶିକ୍ଷଣ । ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବାର ଥିଲା । କରୋନା ଯୋଗୁ ଆସନ୍ତା ଶିକ୍ଷାବର୍ଷକୁ ସ୍ଥଗିତ ରଖାଯାଇଛି ।

କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ । ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା, ଶୈକ୍ଷିକ ବାତାବରଣ ସୃଷ୍ଟି ସମ୍ପର୍କରେ ଦିଆଯିବ ତାଲିମ । ଏହାବ୍ୟତୀତ ସ୍କୁଲ ଡେଭଲପମେଣ୍ଟ ପ୍ଲାନ (ଏସ୍‌ଡିପି) ପ୍ରସ୍ତୁତି, ଅଧାରୁ ପାଠପଢ଼ାରେ ଡୋରି ବାନ୍ଧୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ସଚେତନ କରାଇବା, ସ୍କୁଲ ସପୋର୍ଟ ସ୍କିମ୍ (ଏସ୍‌ଏସ୍‌ସି) କାର‌୍ୟ୍ୟକାରିତା, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ସହ ଶ୍ରେଣୀରେ ନିୟମିତ ଶିକ୍ଷକଙ୍କର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ।

ଏଥିପାଇଁ ଜିଲ୍ଲାସ୍ତରରେ ଏକ ୧୦ ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ଏହାର ସଦସ୍ୟ ଡିପିସି, ଶିକ୍ଷକ, କୋର୍ଡିନେଟର, ଏସ୍‌ଆର୍‌ଜି, ଡିଆର୍‌ଜି, ବିଆର୍‌ଜି ମଧ୍ୟ ରହିବେ । ଜିଲ୍ଲାୱାରୀ ଚାରିଟି ପର‌୍ୟ୍ୟାୟରେ ସାରା ରାଜ୍ୟରେ ଚାଲିବ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ । ପ୍ରତ୍ୟେକ ଜିଲ୍ଲାରେ କ୍ଲଷ୍ଟର ୱାରୀ ତାଲିମ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର‌୍ୟ୍ୟାୟରେ ୯ ହଜାର ୨ଶହ ସ୍କୁଲକୁ ମନୋନୀତ କରାଯାଇଛି ।

ଏହି ସ୍କୁଲ ମ୍ୟାନେଜମେଣ୍ଟ କମିଟି ପ୍ରଶିକ୍ଷଣ ଲାଗି ପ୍ରତି ସ୍କୁଲ ପିଛା ଖର୍ଚ୍ଚ ହେବ ୩୫୦୦ଟଙ୍କା । ୭ଦିନ ଧରି ଚାଲିବ ପ୍ରଶିକ୍ଷଣ । ସ୍କୁଲର ବିକାଶ ଦିଗରେ ବି ଲୋଡ଼ିଯିବ ପରିଚାଳନା କମିଟି ସଦସ୍ୟଙ୍କ ମତାମତ । ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ କମିଟି ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିବ । ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କାର‌୍ୟକ୍ରମର ପରିଚାଳନା କରାଯିବ ।

ସ୍କୁଲରେ ପରିଚାଳନା ଦାୟିତ୍ୱରେ ଥିବା ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଲେ ରାଜ୍ୟରେ ଥିବା ୫୮ହଜାର ୪୭ଟି ସ୍କୁଲରେ ଶିକ୍ଷା, ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରରେ ସୁଧାର ଆସିପାରିବ ।

Leave A Reply

Your email address will not be published.