Latest Odisha News

ରାଜଧାନୀ ରାଜରାସ୍ତାରେ ମୁହାଁମୁହିଁ ହେବେ ପ୍ରାଥମିକ ଶିକ୍ଷକ ଓ ପୋଲିସ !

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ରାଜରାସ୍ତାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପୋଲିସ ଓ ପ୍ରାଥମିକ ଶିକ୍ଷକ। ଯଦିଓ ରାଜଧାନୀରେ ଲୋୟର ପିଏମଜିରେ ଧାରଣା ଦେବାକୁ କମିସନରେଟ ପୋଲିସ ଅନୁମତି ପ୍ରଦାନ କରିନାହିଁ ହେଲେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ କରିବ ବୋଲି ନିଷ୍ପତି ନେଇଛି।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟବ୍ୟାପୀ ଆସୁଥିବା ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘର ବ୍ୟାନରରେ ପ୍ରାୟ ୧.୫ ଲକ୍ଷ ଶିକ୍ଷକ ୩ ଦଫା ଦାବି ନେଇ ଧାରଣା ଦେବା ପାଇଁ ଲୋୟର ପିଏମଜିକୁ ଆସୁଛନ୍ତି।

ଚଳିତଥର ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଥମିକ ଶିକ୍ଷକମାନଙ୍କୁ ଆନ୍ଦୋଳନରେ ସାମିଲ ନହେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଧାନସଭା ଚାଲିଥିବା ବେଳେ ଶିକ୍ଷକମାନେ ଧାରଣାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଅପରପକ୍ଷରେ କମିସନରେଟ୍ ପୁଲିସକୁ ମହାସଙ୍ଘର ଷ୍ଟିୟରିଂ କମିଟିର ସଦସ୍ୟ ଗୋପାଳ କିଶୋର ସେନ ଏକ ଚିଠି ଲେଖି ଲୋୟର ପିଏମଜିରେ ଧାରଣା ପାଇଁ ଅନୁମତି ମାଗିଥିଲେ। ହେଲେ ପୋଲିସ ଆବେଦନକୁ ଖାରଜ କରିଦେଇଛି।

ପୋଲିସ କହିଛି, ୨୭.୧୧.୨୦୨୨ରେ ଲୋୟର ପିଏମଜିରେ ୨ ହଜାର ୫୦୦ ଶହ ଶିକ୍ଷକ, ଶିକ୍ଷୟତ୍ରୀ ଧାରଣାରେ ସାମିଲ ହେବେ ବୋଲି କହିଥିଲେ। କିନ୍ତୁ କୁହାଯାଇଥିବା ସଂଖ୍ୟାଠାରୁ ୪୦ ପ୍ରତିଶତରୁ ଅଧିକ ଆସି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହା ଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ମାଷ୍ଟରକ୍ୟାଣ୍ଟିନ୍ ଓ ରେଳ ଷ୍ଟେସନ୍ ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଯାତ୍ରୀ ଓ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ହୋଇଥିଲା ବୋଲି କୁହାଯାଇଛି।

ଏବେ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରେ ସମସ୍ୟା ହୋଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ବୁଧବାର ଲୋୟର ପିଏମ୍ଜିରେ ଧାରଣା ଦେବାକୁ ଅନୁମତି ପାଇଁ ଆସିଥିବା ଆବେଦନକୁ ଡିସିପି ଖାରଜ କରିଦେଇଛନ୍ତି।

Leave A Reply

Your email address will not be published.