Latest Odisha News

BREAKING NEWS

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ବର୍ଣ୍ଣନା ଅବସରରେ ବର୍ତ୍ତମାନ ପ୍ରଭୁଙ୍କର ବିଭିନ୍ନ ପର୍ବ ପର୍ବାଣୀରେ ଅନୁଷ୍ଠିତ ସ୍ୱତନ୍ତ୍ର ବେଶ ଆଲୋଚନା ଜାରି ରଖିଛେ। ଏହି ପରିପ୍ରେକ୍ଷୀରେ “ମକର ସଂକ୍ରାନ୍ତି “ଏକ ବିଶେଷ ପର୍ବ। ଏହି ଦିନ ଶ୍ରୀଜୀଉମାନଙ୍କ ବିଶେଷ ନୀତି ସହ ଏକ ବିଶେଷ ବେଶ ମଧ୍ୟ ଅନୁଷ୍ଠିତ ହୁଏ ଯାହାକୁ “ମକର ଚୁଳ ଲାଗି ବେଶ “ଵା “ମକର ଚୌରସୀ “ବେଶ କୁହାଯାଏ। ଏହି ବେଶର ବିଶେଷତ୍ୱ ହେଲା ବସ୍ତ୍ର ସିଂହାର ସହିତ ଏଠାରେ ପୁଷ୍ପ ଓ ତୁଳସୀ ସିଂହାରର ପ୍ରାଧାନ୍ୟ ରହିଥାଏ। ଶ୍ରୀଜୀଉମାନଙ୍କ ମସ୍ତକରେ ତୁଳସୀ ମିଶ୍ରିତ ଏକ ଏକ ଚୁଳ ବିଶେଷ ଭାବରେ ନିର୍ମିତ୍ତ ହୋଇ ଲାଗି କରାଯାଏ। ଶ୍ରାଦ୍ଧ ବେଶ ଭଳି ଏହା ନିରାଡ଼ମ୍ବର ବେଶ ନହୋଇ, ଏକ ଆଡମ୍ବର ପୂର୍ଣ୍ଣ ବେଶ ହୋଇଥାଏ। ତେଣୁ ଶ୍ରୀଜୀଉମାନେ ଛଅ ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୁଅନ୍ତି
ଶ୍ରୀମନ୍ଦିର ରୀତିନୀତି ଅନୁସାରେ ମକର ସଂକ୍ରାନ୍ତି ଦିନ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ତ୍ରିମୁଣ୍ଡିରେ ମକର ଚୁଳ ଲାଗି ହୁଅନ୍ତି। ମାଳ ଲାଗି ଓ କର୍ପୁର ଲାଗି ମଧ୍ୟ ହୁଅନ୍ତି। ବଲ୍ଳଭ ଭୋଗ ଓ ସକାଳ ଧୂପ ପରେ ମଇଲମ ଓ ମହାସ୍ନାନ ହୋଇ ସର୍ବାଙ୍ଗ ବିଜେ ହୁଏ। ଶ୍ରୀଜୀଉମାନେ ନୂଆ ଲୁଗା, ଚୁଳ, ମାଳ ଓ ଛଅ ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇ ବେଶ ହୁଅନ୍ତି ଏହି ସୁନ୍ଦର, ମନମୋହକ ବେଶ କୁ ହିଁ “ମକର ଚୁଳ ବେଶ “ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଅଭିହିତ କରନ୍ତି। ଏହା ଯେତିକି ମନୋହର ସେତକି ଦୁର୍ଲ୍ଲଭ ଓ ପୁଣ୍ୟପ୍ରଦ। ଆଗକୁ ଜାରି ରହିବ ଏଭଳି ଦୁର୍ଲ୍ଲଭ ବେଶ ବର୍ଣ୍ଣନା କିନ୍ତୁ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

“ତୁ ଏବେ ସର୍ବପ୍ରାଣୀ ହିତେ
ନିରତେ ରହି ଶାନ୍ତ ଚିତ୍ତେ ।
ଜ୍ଞାନ ବିଜ୍ଞାନେ ମନ ଦେଇ
ନିଶ୍ଚଳେ ରଖ ମନ ତୁହି ।
ସଂସାର ଦେଖ ମୋ ସ୍ବରୁପେ
ଗଞ୍ଜି ନୋହିବୁ ଭବ କୂପେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.