Latest Odisha News

BREAKING NEWS

ରାତିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ: ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଲଗା ଅଲଗା ଭେଟିଛନ୍ତି। ଏହି ପରପର ଭେଟଘାଟ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ କିମ୍ବା ଉପରାଷ୍ଟ୍ରପତି ପଦ ସହ ଜଡ଼ିତ ଏକ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ପଦକ୍ଷେପ ହେବ ବୋଲି ଜଳ୍ପନାକୁ ଜୋର ଦେଇଛି।

ଏହି ଭେଟଘାଟ ସମ୍ପର୍କରେ କୌଣସି ସରକାରୀ ବିବରଣୀ ଜାରି ହୋଇନଥିଲେ ମଧ୍ୟ, ଏହାର ସମୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷତଃ ସଂସଦରେ ଚାଲିଥିବା ଗତିରୋଧ ଓ ଅନ୍ୟାନ୍ୟ ଜାତୀୟ ସମସ୍ୟାକୁ ନେଇ ଏହା ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବିହାରରେ ଆସନ୍ନ ବିଧାନସଭା ନିର୍ବାଚନ ପୂର୍ବରୁ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସଆଇଆର) କାର୍ଯ୍ୟକ୍ରମ ଉପରେ ବିରୋଧୀ ଦଳମାନେ ଆଲୋଚନା ଦାବି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଭେଟଘାଟ ବେଶ ଗୁରୁତ୍ଵ ବହନ କରୁଛି। ଅନ୍ୟପଟେ, ଅମିତ ଶାହାଙ୍କ ଭେଟ ମଣିପୁରରେ ଅଗଷ୍ଟ ୧୩ ପରେ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବା ପାଇଁ ଲୋକସଭାରେ ପାରିତ ବିଧିବଦ୍ଧ ପ୍ରସ୍ତାବକୁ ରାଜ୍ୟସଭାରେ ଉପସ୍ଥାପନ କରିବା ପୂର୍ବରୁ ହୋଇଛି। ତେଣୁ ଏହି ଭେଟଘାଟ ଆହୁରି ଗୁରୁତ୍ୱ ବଢ଼ାଇଛି।

ଏହି ଭେଟଘାଟକୁ ଅନେକ ସମୟରେ ସୌଜନ୍ୟମୂଳକ ଭେଟ ବୋଲି କୁହାଯାଏ, ବିଶେଷତଃ ବିଦେଶ ଗସ୍ତ ପରେ। କିନ୍ତୁ ଏକା ସମୟରେ ଦୁଇ ଜଣ ଶୀର୍ଷ ନେତାଙ୍କ ରାଷ୍ଟ୍ରପତି ଭବନ ଗସ୍ତ ଗୁରୁତ୍ଵପୂର୍ଣ୍ଣ ଏକ ଅଲଗା ସଙ୍କେତ ବୋଲି ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ଆନ୍ତର୍ଜାତୀୟ ଚାପ ମଧ୍ୟ ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ରପ୍ତାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି ଏବଂ ଭାରତର ରୁଷିଆ ସହ ଚାଲିଥିବା ବାଣିଜ୍ୟ ନେଇ ଆମେରିକାର ମନ୍ତବ୍ୟ ଅନେକ ଚର୍ଚ୍ଚାକୁ ଇଙ୍ଗିତ କରିଛି।

ସୂତ୍ର ଅନୁସାରେ, ଅଗଷ୍ଟ ୨୧ରେ ମୌସୁମୀ ଅଧିବେଶନ ଶେଷ ହେବା ପରେ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇପାରେ। ଏହା ମଧ୍ୟରେ କେତେକ ମନ୍ତ୍ରୀଙ୍କୁ ହଟାଇ ନୂଆ ଚେହେରାଙ୍କୁ ସାମିଲ କରାଯାଇପାରେ। ଅର୍ଥ, ବୈଦେଶିକ, ସୂଚନା ଓ ପ୍ରସାରଣ ତଥା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟରେ ନୂଆ ନିଯୁକ୍ତି ହୋଇପାରେ। ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ରାଜନୈତିକ ମହଲରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ଏହି ପଦ ପାଇଁ ଚର୍ଚ୍ଚାରେ ରହିଛି, ଯଦିଓ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ସଂସଦରେ ୭୮୨ ଆସନରୁ  ଏନଡିଏର ୪୨୨ ଭୋଟ ରହିଛି। ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀ ବିଜୟୀ ହେବା ଏକ ପ୍ରକାର ସୁନିଶ୍ଚିତ।

Comments are closed.