Latest Odisha News

BREAKING NEWS

୨୦୨୪ରେ ତାମିଲନାଡୁରୁୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦି !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ କରମ କସିଲେଣି ସବୁ ରାଜନୈତିକ ଦଳ । ନିଜ ନିଜ ଆକାଂକ୍ଷୀ ଆସନରେ ପତିଆରା ଦେଖାଇଲେଣି ନେତା । କିଏ କେଉଁ ଆସନରୁ ଲଢିବେ ସେଥିନେଇ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଯଦି ବିଜେପି ଆସନ୍ତା ନିର୍ବାଚନରେ ବହୁମତ ପାଏ ତେବେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ହେବେ ଦେଶର ପ୍ରଧାନମନ୍ତ୍ରୀ । ସମସ୍ତଙ୍କ ମନରେ ଏବେ ପ୍ରଶ୍ନ, ଆଗାମୀ ନିର୍ବାଚନରେ କେଉଁ ଆସନରୁ ଲଢିବେ ପ୍ରଧାନମନ୍ତ୍ରୀ? ଗୁଜରାଟର ବଡୋଦରାରୁ ନା ଉତ୍ତରପ୍ରଦେଶର ବାରଣାସୀରୁ ନା ଅନ୍ୟ କେଉଁଠୁ ?

ଗତ ନିର୍ବାଚନରେ ମୋଦି ବଡୋଦରା ଏବଂ ବାରଣାସୀ ଦୁଇଟି ଆସନରୁ ଲଢିଥିଲେ । ଦୁଇଟି ଆସନରୁ ଜିତିଥିଲେ ମଧ୍ୟ । ତେବେ ଶେଷରେ ବଡୋଦରା ଆସନକୁ ଛାଡି ଦେଇଥିଲେ ମୋଦି । ବାରଣାସୀ ଆସନରୁ ପ୍ରତିନିଧିତ୍ବ କରିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ତାମିଲନାଡୁରୁ ଲଢିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ତାମିଲନାଡୁ ବିଜେପି ରାଜ୍ୟ ମୁଖ୍ୟ କେ ଆନ୍ନାମଲାଇ କହିଛନ୍ତି, ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ନୁହଁନ୍ତି, ବରଂ ସମଗ୍ର ଦେଶର ନେତା । ସେ ଆଞ୍ଚଳିକ ସୀମାରେଖାର ଉପରେ । ତେଣୁ ତାଙ୍କୁ ଆଉଡସାଇଡର ନୁହେଁ, ଇନସାଇଡର ଭାବେ ବିବେଚନା କରାଯାଉଛି । ଆନ୍ନାମଲାଇଙ୍କର ଏହି କଥା ପ୍ରଧାନମନ୍ତ୍ରୀ ତାମିଲନାଡୁରୁ ଲଢିବା ନେଇ   ଇଙ୍ଗିତ ଦେଉଛି ।

ତା ଛଡା, ରାଜ୍ୟରେ ଆନ୍ନାମଲାଇଙ୍କୁ ପଚରା ଯାଇଥିଲା, ମୋଦି କେଉଁଠୁ ଲଢିବେ ବୋଲି । ଏହାର ଉତ୍ତରରେ ଆନ୍ନାମଲାଇ କହିଥିଲେ, ସେ ରାମନାଥପୁରମରୁ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି । ରାଜ୍ୟବାସୀ ବି ଚାହାନ୍ତି, ମୋଦି ତାମିଲନାଡୁରୁ ଲଢନ୍ତୁ । ତାଛଡା ଗତ ଏକମାସ ଧରି ତାମିଲ ନ୍ୟୁଜରେ ମଧ୍ୟ ଏହାକୁ ନେଇ ଆଲୋଚନା ଜୋର ଧରିଛି । ଆନ୍ନମଲାଇ କହିଛନ୍ତି, ଯୁଆଡେ ଗଲେ ଲୋକେ ପଚାରୁଛନ୍ତି, ପ୍ରଧାନମନ୍ତ୍ରୀ କ’ଣ ତାମିଲନାଡୁରୁ ଲଢୁଛନ୍ତି ? ଲୋକମାନେ ଏପରି ପଚାରିବାର ଅର୍ଥ ସେମାନେ ମୋଦିଙ୍କୁ ବାହାର ଲୋକ ବୋଲି ଭାବୁ ନାହାନ୍ତି ।

ଏସବୁକୁ ଦେଖିଲେ, ଅନୁମାନ କରାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ନିର୍ବାଚନରେ ତାମିଲନାଡୁରୁ ଲଢି ପାରନ୍ତି ।

Leave A Reply

Your email address will not be published.