Latest Odisha News

ଡିସେମ୍ବର ୨୪ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନ ଥିଲେ ହେଁ ବିରୋଧୀଦଳ ମୁଖ୍ୟ ସଚେତନ ମୋହନ ମାଝିଙ୍କ ପକ୍ଷରୁ ଏହି ସୁଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆସିପାରନ୍ତି ବୋଲି କୁହାଯାଉଛି ।

ସମ୍ଭବତଃ ଡିସେମ୍ବର ୨୪ ତାରିଖ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଆସିପାରନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ସମ୍ବଲପୁରର ଆଇଆଇଏମର ନୂତନ କ୍ୟାମ୍ପସ ଉଦଘାଟନ ସହ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ନିକଟରେ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ତିନି ରାଜ୍ୟରେ ସରକାର ଗଠନ କରିଛି । ତେଲେଙ୍ଗାନର ଏବଂ ମିଜୋରାମରେ ହାରିଥିଲେ ମଧ୍ୟ ବିଜେପିର ପ୍ରଦର୍ଶନ ଭଲ ରହିଛି । ତେଣୁ ବିଜେପିର ପରବର୍ତ୍ତୀ ଟାର୍ଗେଟ ହେଉଛି ଓଡ଼ିଶା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଶାରେ ତାର ଗଡ ସଜାଡିବାରେ ଲାଗିଛି । ସେହି ଦୃଷ୍ଟିରୁ ଦେଖିଲେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଦଳ ଜାତୀୟ ଅଧ୍ୟକ୍ଷଙ୍କ ଗସ୍ତ ପରେ ଜାନୁଆରୀରେ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ମୋହନ ମାଝି ସୂଚନା ଦେଇଛନ୍ତି ।

Comments are closed.