Latest Odisha News

ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀ, କହିଲେ ଶିଖିବା ଉଚିତ୍

ନୂଆଦିଲ୍ଲୀ: ଆଜି ବର୍ଷର ଶେଷ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତର ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି କଳାହାଣ୍ଠି ଚାଷୀଙ୍କ ଉଦାହରଣ ଦେଇଛନ୍ତି । କିପରି ଆଜି କଳାହାଣ୍ଡି ଚାଷୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି, ସେମାନଙ୍କ ଠାରୁ ଦେଶ ଶିଖିବା ଉଚିତ୍ ବୋଲି ପରାମର୍ଶ ହୋଇଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଇ ଅଞ୍ଚଳରୁ ଚାଷୀମାନେ ଦିନେ ବାଧ୍ୟ ହୋଇ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିଲେ । ପରିବାରର ଗୁଜରାଣ ମେଣ୍ଟାଇ ପାରୁନଥିଲେ । ହେଲେ ଏବେ ସେଠି ପରିବା ବିପ୍ଲବ ହୋଇଛି । କଳାହାଣ୍ଡିର ପରିବା ଚାଷକୁ ସବୁଜ କ୍ରାନ୍ତି’ର ଆଖ୍ୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ବ୍ଲକ ପରିବା ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ସାଜିଛି । ପ୍ରଥମେ ୧୦ ଜଣ ଚାଷୀ ମିଶି ଏକ ଗ୍ରୁପ୍ ତିଆରି କରିଥିଲେ । କିଷାନ ଉତ୍ପାଦ ସଂଘ ନାମରେ ଏକ ଫାର୍ମର୍ସ ପ୍ରଡ୍ୟୁସର ସଂଗଠନ ବା ଏଫପିଓ ଗଠନ କରି ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରିଥିଲେ । ଏବେ ଏହି କୃଷକମାନେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ଏହି ସଂଗଠନରେ ଏବେ ପ୍ରାୟ ୨୦୦ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪୫ ଜଣ ମହିଳା ଚାଷୀ । ନିଷ୍ଠା ଓ ସମ୍ମିଳିତ ଉଦ୍ୟମ ଦ୍ୱାରା ସବୁ କିଛି କରାଯାଇପାରିବ । କଳାହାଣ୍ଡିର ଏହି ସଫଳତା ଆମକୁ ଏହି ଶିକ୍ଷା ଦେଉଛି ବୋଲି ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଦେଶର ସମ୍ବିଧାନକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଆସନ୍ତା ଜାନୁଆରୀ ୨୬ ତାରିଖରେ ଦେଶର ସମ୍ବିଧାନ ପ୍ରଣୟନ ହେବାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହାକୁ ନେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବିଧାନ ସମ୍ପର୍କରେ ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି ମୋଦି  । ଏହାସହ କୁମ୍ଭଯାତ୍ରାର ମାହାତ୍ମ୍ୟ ବିଷୟରେ ମଧ୍ୟ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.