Latest Odisha News

BREAKING NEWS

କେନ୍ଦୁଝରରେ ପୌରାଞ୍ଚଳ ଓ ପରିବହନ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ଉଷା ପାଢ଼ୀ

କେନ୍ଦୁଝର: ନଗର ଉନ୍ନୟନ ଓ ଗୃହ ନିର୍ମାଣ, ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଏକ ବରିଷ୍ଠ ଅଧିକାରୀଙ୍କ ଦଳ କେନ୍ଦୁଝର ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପ୍ରଥମେ ସେ କେନ୍ଦୁଝର ପୌରପାଳିକା ୯ ନମ୍ବର ୱାର୍ଡ ଅନ୍ତର୍ଗତ ସ୍ପଞ୍ଜ କଲୋନି ପରିଦର୍ଶନରେ ଯାଇ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳବନ୍ଦୀ ଏବଂ ଡ୍ରେନେଜ୍ ସମସ୍ୟାର କାରଣ ଅନୁସନ୍ଧାନ କରିଥିଲେ। ୱାଟକୋର ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମ୍ଭାବ୍ୟ ସମାଧାନ ବିଷୟରେ ଆଲୋଚନା କରିବା ସହ କଲୋନୀର ବାସିନ୍ଦାଙ୍କୁ ଭେଟିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ଦ୍ୱାରା ପରିଚାଳିତ ସରକାରୀ ବସଷ୍ଟାଣ୍ଡ ଏବଂ ପୌରପାଳିକା ବସଷ୍ଟାଣ୍ଡ ପରିଦର୍ଶନ କରି ପରିଚାଳକ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହିତ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ଆହୁରି ମଧ୍ୟ ସେ ଆମ ବସ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରିଥିଲେ।

ପରେ ସେ ଜିଲ୍ଲାପାଳ, କେନ୍ଦୁଝର, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ କେନ୍ଦୁଝର ଜିଲ୍ଲାର ସମସ୍ତ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସମୀକ୍ଷା ବୈଠକ କରିଥିଲେ। ବର୍ଷା ଋତୁରେ ଲୋକମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସେ ସମସ୍ତ ଅଧିକାରୀଙ୍କୁ ଡ୍ରେନେଜ୍ ଏବଂ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ସମସ୍ତ ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

 

 

Comments are closed.