Latest Odisha News

‘ଶ୍ରୀଜଗନ୍ନାଥ ସଂସ୍କୃତିକୁ ସୁରକ୍ଷା ଦେବା ଆମର ପ୍ରାଥମିକତା, ଅସମ୍ମାନ କଲେ କାର୍ଯ୍ୟନୁଷ୍ଠାନ’

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରା ଏବେ ଚାରିଆଡେ ଅସନ୍ତୋଷ ସୃଷ୍ଟି କରିଛି । ବାରଣ ଏବଂ ଚେତାବନୀ ସତ୍ତ୍ବେ ବି ନିଜର ମନମାନି କରୁଛି ଇସ୍କନ । ଆମେରିକାର ହ୍ବିଷ୍ଟେନରେ ଆୟୋଜିତ ହେବାକୁ ଯାଉଥିବା ରଥଯାତ୍ରାରେ ସ୍ନାନ ଯାତ୍ରା ବାତିଲ୍ କରିଥିଲେ ସୁଦ୍ଧା ରଥଯାତ୍ରା ପାଇଁ ଏବେ ପ୍ରସ୍ତୁତି ଜାରି ରଖିଛି ଇସ୍କନ । ଯାହାକୁ ନେଇ ଆଇନର ବାଟ ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ଗଜପତି । ଏପଟେ ଗଜପତି ମହାରାଜାଙ୍କ ଚେତାବନୀକୁ ଦୃଢ ସମର୍ଥନ ଜଣାଇଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏନେଇ ମନ୍ତ୍ରୀ କହିଛନ୍ତି, ଗଜପତି ମହାରାଜା ଯାହା କହିଛନ୍ତି ଆମେ ସମର୍ଥନ ଜଣାଉଛୁ । ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା । ଜଗନ୍ନାଥ ସଂସ୍କୃତିକୁ ବିକୃତ ଏବଂ ଏହାକୁ ଅସମ୍ମାନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମେ ପ୍ରଥମେ ଆଲୋଚନା କରିବୁ, ସହମତ ନ ହେଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାଧୀକୃତ । ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେଥିରେ ବିଭାଗର ସମର୍ଥନ ରହିବ ବୋଲି ମନ୍ତବ୍ୟ ଦେିଛନ୍ତି ମନ୍ତ୍ରୀ ।

ତେବେ କହିରଖୁଛୁ, ପ୍ରତିବର୍ଷ ଭଳି ଏଥର ମଧ୍ୟ ଅଦିନରେ ରଥଯାତ୍ରା କରିବାକୁ ଯାଉଛି ଇସ୍କନ । ଏଥିପାଇଁ ଗଜପତି ମହାରାଜ ଇସ୍କନକୁ ଚିଠି ଲେଖିବାରୁ, ଗତ ୩ ତାରିଖରେ ହେବାକୁ ଥିବା ସ୍ନାନଯାତ୍ରା ବାତିଲ୍ କରିଥିଲା ଇସ୍କନ । ହେଲେ ରଥଯାତ୍ରା ବାତିଲ୍ ନେଇ କୌଣସି ସୂଚନା ଦେଇନଥିଲେ । ତେବେ ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଯାହାକୁ ନେଇ କଡା ଚେତାବନୀ ଦେଇଛନ୍ତି ଗଜପତି ।

ଏନେଇ ଗଜପତି କହିଛନ୍ତି, ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ । ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି  । ଚିଠି ଲେଖିବା ସତ୍ତ୍ବେ ମଧ୍ୟ ଇସ୍କନ ନ ମାନି ରଥ ଆୟୋଜନ କରୁଛି  । ୩ ତାରିଖର ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି  । ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଠିକ୍‌ ନୁହେଁ  । ୧୯୬୯ରୁ ଇସ୍କନ ଅଦିନରୁ ରଥଯାତ୍ରା ଆୟୋଜନ କରିଆସୁଛି  । ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି  । କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନ ରଥଯାତ୍ରା କରୁଛି  । ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ  । ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି  । ସେଠି ଯଦି ସେମାନେ ମାନିଯିବେ ତେବେ ଭଲ କଥା ନଚେତ ଏଥର ଆମେ ଆଇନର ରାସ୍ତା ନେବୁ  । ବହୁତ ହୋଇଗଲା ଏଥର କିନ୍ତୁ ଆମେ ଛାଡ଼ିବାନି ବୋଲି ଚେତାବନୀ ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।

Comments are closed.