ଭୁବନେଶ୍ୱର: ଅନୁଗୋଳରୁ ଢେଙ୍କାନାଳ ଦେଇ କଟକ-ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ । ୫୫ ନମ୍ବର ଜାତୀୟ ରାଜପଥରେ ଆଜି ବନ୍ଦ ରହିଛି ବସ୍ ଚଳାଚଳ । ଏନଏଚ୍ ୫୫ରେ ମଙ୍ଗୁଳି-ସମ୍ବଲପୁର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବସ୍ ମାଲିକ ସଂଘ । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି ।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ଏହି ରୁଟରେ ବସ୍ ଚଳାଚଳ ବନ୍ଦ ରହିବ । ଅନୁଗୁଳ ଓ ଢେଙ୍କାନାଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କଟକ-ସମ୍ବଲପୁର ରାସ୍ତାର ପ୍ରଶସ୍ତିକରଣ ଦୀର୍ଘଦିନ ହେଲା ଚାଲିଛି । ବର୍ଷ ବର୍ଷ ବିତୁଥିଲେ ବି ରାସ୍ତା କାମ ସରି ପାରୁନି ।
ଏହା ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆଜି ଦିନିକିଆ ବସ୍ ବନ୍ଦ ପରେ ୨୪ ତାରିଖରୁ ଏହି ରୁଟ୍ରେ ଚଳାଚଳ କରୁଥିବା ବସ୍ଗୁଡିକରେ କଳା ପତାକା ଲଗାଇ ପ୍ରତିବାଦ କରାଯିବ ।
ଜାନୁଆରୀ ପହିଲାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଏହି ରୁଟ୍ରେ ବସ୍ ଚଳାଚଳ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଘରୋଇ ବସ୍ ମାଲିକ ସଂଘ ଅଭିଯୋଗ କରିଛି, ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଖାଲଖମା ହେବା ସହ ପିଚୁ ଉଠି ଯାଇଥିବାରୁ ସେଥିରେ ବସ୍ ଚଳାଚଳ କରିବା ସମ୍ଭବ ନୁହେଁ ।
Comments are closed.