ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିରେ ଅଟଳ ଘରୋଇ ବସ ମାଲିକ ସଂଘ। ସଂଧ୍ୟାରେ ପ୍ରେସମିଟ୍ କରି ଘରୋଇ ବସ ମାଲିକ ସଂଘ କହିଛି ଯେ, ଆସନ୍ତାକାଲିଠୁ ବସ ଧର୍ମଘଟ ହେବ। ସଂଧ୍ୟାରେ ଘରୋଇ ବସ ମାଲିକ ସଂଘର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦ ଦେବେନ୍ଦ୍ର ସାହୁ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବୈଠକ ବସିଥିଲା। ହେଲେ ବୈଠକରୁ କୌଣସି ନିର୍ଯାସ ବାହାରିନଥିଲା। ଏହାପରେ ଦେବେନ୍ଦ୍ର ସାହୁ କହିଛନ୍ତି, ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ସରକାର ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ମୌଖିକ ଭାବରେ ଦେଉଛନ୍ତି କିନ୍ତୁ ଆମେ ଲିଖିତ ଆକାରରେ ଦାବି କରୁଛୁ।
ସେ କହିଛନ୍ତି ସରକାର ଯେଉଁ ଲକ୍ଷ୍ମୀ ବସ ଯୋଜନା କରିଛନ୍ତି ତାହା କେବଳ ପଂଚାୟତ ସ୍ତରରେ ସୀମିତ ରହୁ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଏହା ବ୍ଲକରୁ ଜିଲ୍ଲା ସ୍ତରକୁ ସଂପ୍ରସାରଣ ନହେଉ ବୋଲି ସଂଘ ଦାବି କରିଛି। ହେଲେ ସରକାର ନିରବ ରହିବାରୁ ବସ ଧର୍ମଘଟ ବାବଦରେ ଘରୋଇ ବସ ମାଲିକ ସଂଘ ସଫେଇ ଦେଇଛି।
ଦୂର୍ଗାପୂଜା ବେଳେ ଲୋକେ ନିଜ ନିଜ ଗାଁକୁ ଯିବାକୁ ଚାହିଁବେ ଏବଂ ଗାଁରୁ ସହରକୁ ମେଢ ଦେଖିବାକୁ ଆସିବେ। ଏପରି ସ୍ଥିତିରେ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ପାଇଁ ଅନେକ ଲୋକ ହନ୍ତସନ୍ତ ହେବାକୁ ଯାଉଛନ୍ତି।
ଏହି ସରକାରୀ ବସ୍ ସେବାକୁ ଆରମ୍ଭରୁ ବିରୋଧ କରି ସଂଘ ଅକ୍ଟୋବର ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଥିଲା। ଅକ୍ଟୋବର ୯ରେ ସେମାନେ ଘୋଷଣା କରିଥିଲେ ଯେ ଅକ୍ଟୋବର ୧୦ରେ ହେବାକୁ ଥିବା ଧର୍ମଘଟକୁ ସେମାନେ ଅକ୍ଟୋବର ୩୧ ଯାଏଁ ସ୍ଥଗିତ ରଖିଥିଲେ। ପରେ କିନ୍ତୁ ନିଷ୍ପତ୍ତିରେ ପରିବର୍ତ୍ତନ କରି ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରୁ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି।
Comments are closed.