Latest Odisha News

BREAKING NEWS

ବିଜେପି ସରକାର ୫୦ ପ୍ରତିଶତ କମିଶନ ନେଉଛି କହିଲେ ପ୍ରିୟଙ୍କା, ଚେତାବନୀ ଦେଲା ଶାସକ ଦଳ

ଭୋପାଳ: ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟିର ନେତାମାନେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ତାଙ୍କ ଅଭିଯୋଗକୁ ସମର୍ଥନ କରିବା ପାଇଁ କଂଗ୍ରେସ ନେତାଙ୍କଠାରୁ ପ୍ରମାଣ ମାଗିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଏବଂ ବିଜେପି ଆଗରେ ବିକଳ୍ପ ଖୋଲା ରହିଛି।

ରାଜ୍ୟ ବିଜେପି ମୁଖ୍ୟ ଭିଡି ଶର୍ମା କଂଗ୍ରେସ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ତେବେ ବିଜେପି ନେତୃତ୍ୱାଧୀନ ସରକାର ଯେ ଦୁର୍ନୀତିଗ୍ରସ୍ତ ତାହା ପ୍ରମାଣିତ ହେବ ବୋଲି ରାଜ୍ୟ କଂଗ୍ରେସ କହିଛି ଏବଂ ଶାସକ ଦଳ “ରାଜନୈତିକ ଆତଙ୍କ” ସୃଷ୍ଟି କରୁଥିବା ଅଭିଯୋଗ ମଧ୍ୟ କରିଛି।

ପ୍ରିୟଙ୍କା ଗାନ୍ଧୀ ଗତକାଲି ଟ୍ୱିଟରରେ ଦାବି କରିଛନ୍ତି ଯେ ମଧ୍ୟପ୍ରଦେଶର ଏକ ଠିକାଦାର ସଙ୍ଘ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ସେମାନେ ୫୦% କମିଶନ ଦେବା ପରେ ହିଁ ଦେୟ ପାଇଥାନ୍ତି।

କର୍ଣ୍ଣାଟକର ଦୁର୍ନୀତିଗ୍ରସ୍ତ ବିଜେପି ସରକାର ୪୦% କମିଶନ ଆଦାୟ କରୁଥିଲା। ମଧ୍ୟପ୍ରଦେଶରେ ବିଜେପି ନିଜସ୍ୱ ଦୁର୍ନୀତି ରେକର୍ଡ ଭାଙ୍ଗି ଆଗକୁ ବଢ଼ିଛି। କର୍ଣ୍ଣାଟକର ଲୋକମାନେ ୪୦% କମିସନ ସରକାରକୁ ହଟାଇଥିଲେ, ଏବେ ମଧ୍ୟପ୍ରଦେଶର ଲୋକମାନେ ୫୦% କମିସନ ସରକାରକୁ କ୍ଷମତାରୁ ହଟାଇବେ ବୋଲି ପ୍ରିୟଙ୍କା ସୋଶିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଭିଯୋଗର ଉତ୍ତରରେ ନରୋତ୍ତମ ମିଶ୍ର କହିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ବିନା କୌଣସି ପ୍ରସଙ୍ଗରେ ଘୃଣ୍ୟ ମାନସିକତାରେ ରାଜନୀତି କରୁଛି।

Comments are closed.