Latest Odisha News

ପ୍ରିୟଙ୍କାଙ୍କ ପାଇଁ ‘ଓ୍ବାଏନାଡ’ ଚ୍ୟାଲେଞ୍ଜ

ଓ୍ବାଏନାଡ: ଓ୍ବାଏନାଡରୁ ନିର୍ବାଚନ ମଇଦାନରେ ଡେବ୍ୟୁ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ। ତାଙ୍କ ଆଗରେ ଭାଇ ରାହୁଲ ଗାନ୍ଧୀଙ୍କ ସିଟରୁ ବିଜୟର ପ୍ରଥମ ଇନିଂସ ଖେଳିବାର ବଡ ଚ୍ୟାଲେଞ୍ଜ ରହିଛି । ୧୯୯୯ରୁ ହିଁ ରାଜନୀତିରେ ସକ୍ରିୟ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ମାଆ ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରଚାର କରିବାଠୁ ଆରମ୍ଭ କରି ବିଭିନ୍ନ ଉତ୍ତର ଭାରତ ରାଜ୍ୟରେ ରାଲି କରିବା, କଂଗ୍ରେସରେ ଧୀରେ ଧୀରେ ବଢିଛି ପ୍ରିୟଙ୍କାଙ୍କ ଇମେଜ । ଏବେ ପ୍ରିୟଙ୍କାଙ୍କୁ ଉତ୍ତରରୁ ଆଣି ଦକ୍ଷିଣ ଭାରତରେ ରାଜନୈତିକ ପ୍ରୟୋଗ କରିବାକୁ ଯାଉଛି କଂଗ୍ରେସ । ତେବେ ପ୍ରଶ୍ନ ଉଠୁଛି, ଦକ୍ଷିଣରେ ପ୍ରିୟଙ୍କାଙ୍କ ଆଗରେ ରହିବ କି ଚ୍ୟାଲେଞ୍ଜ?

ପ୍ରିୟଙ୍କାଙ୍କ ଦକ୍ଷିଣ ଚ୍ୟାଲେଞ୍ଜ

ଗାନ୍ଧୀ ପରିବାର ପାଇଁ ଦକ୍ଷିଣ ଭାରତ ସବୁବେଳେ ଶୁଭ ପ୍ରମାଣିତ ହୋଇଛି । ଇନ୍ଦିରା ଗାନ୍ଧୀଙ୍କଠାରୁ ସୋନିଆ ଓ ରାହୁଲଙ୍କ ପର୍ଯ୍ୟନ୍ତ, ଖରାପ ସମୟରେ ଜିତାଇ ସଂସଦରେ ପହଞ୍ଚାଇଛି ଦକ୍ଷିଣ ଭାରତ । ଏହି ଦୃଷ୍ଟିରୁ ଦକ୍ଷିଣ ଭାରତ ନିଶ୍ଚୟ ଭାବେ ସୁରକ୍ଷିତ ସ୍ଥାନ । ତେବେ ପ୍ରିୟଙ୍କାଙ୍କ ପାଇଁ ଦକ୍ଷିଣ ଭାରତ ଏକଦମ୍ ନୂଆ। ରାଜନୀତିକୁ ଆସିବା ପରଠୁ ଅଧିକାଂଶ ସମୟ ଉତ୍ତର ଭାରତରେ ହିଁ ସକ୍ରିୟ ରହିଛନ୍ତି ପ୍ରିୟଙ୍କା । ସେହିପରି ଉତ୍ତର ଓ ଦକ୍ଷିଣର ବି ପ୍ରସଙ୍ଗ ଭିନ୍ନ । ଉତ୍ତରରେ ଧର୍ମ ତ ଦକ୍ଷିଣରେ ଭାଷା ଭିତ୍ତିରେ ଚାଲେ ରଜନୀତି । ତେଣୁ ଦକ୍ଷିଣ ଭାରତ ରାଜନୀତିରେ ଫିଟ୍ ହେବା ପ୍ରିୟଙ୍କାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।

ବିପକ୍ଷରେ ବାମ, ବିଜେପି

କେରଳରେ କେବଳ ବିଜେପି ନୁହେଁ ପ୍ରିୟଙ୍କାଙ୍କୁ ବାମ ଦଳ ସହ ବି ମୁକାବିଲା କରିବାକୁ ପଡିବ । ଦେଶର ବିଭିନ୍ନ ରାଜ୍ୟରେ ବାମ ଦଳର ସେଭଳି ଅସ୍ଥିତ୍ବ ନଥିବା ବେଳେ କେରଳରେ ବାମ ଦଳ ବଡ ଚ୍ୟାଲେଞ୍ଜ ହେବ । ସେହିପରି କେରଳରେ ପ୍ରଭାବ ବିସ୍ତାର କରୁଥିବା ବିଜେପି ବି କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଚଳିତ ଲୋକସଭା ନିର୍ବାଚନରେ ପ୍ରଥମ କରି କେରଳରେ ଗୋଟିଏ ସିଟ୍ ଜିତିଛି ବିଜେପି । ବିଧାନସଭାରେ ବି ଦଳ ଭୋଟ୍ ପ୍ରତିଶତ ବଢିଛି । ଏଭଳି ସ୍ଥିତିରେ ବିଜେପିର ବିସ୍ତାର ରୋକିବା ବି ପ୍ରିୟଙ୍କାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।

ଓ୍ବାଏନାଡରୁ କେରଳ ପାଇଁ ଶଙ୍ଖନାଦ 

ଲୋକସଭା ନିର୍ବାଚନରେ ୨୦ରୁ ୧୮ଟି ସିଟ୍ ଜିତି କେରଳରେ ନିଜ ପାଇଁ ପିଚ୍ ପ୍ରସ୍ତୁତ କରିଛି କଂଗ୍ରେସ । ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦଳ ପାଇଁ ବଡ ଚ୍ୟାଲେଞ୍ଜ । ଓ୍ବାଏନାଡ ସହ ଅନ୍ୟ ଦୁଇଟି ସିଟରେ ବି ଉପନିର୍ବାଚନ ହେଉଛି । ତେଣୁ ପ୍ରିୟଙ୍କାଙ୍କୁ କେବଳ ଓ୍ବାଏନାଡ ନୁହେଁ ପ୍ରଥମେ ସମସ୍ତ ତିନିଟି ସିଟ୍ ଜିତିବାକୁ ପଡିବ । ପରେ ପୂରା ରାଜ୍ୟକୁ ଫୋକସ୍ କରିବାକୁ ପଡିବ । ୧୦ବର୍ଷ ଧରି ଲାଲ୍ କିଲ୍ଲା ସାଜିଥିବା କେରଳରେ ହାତ ପାଇଁ ଭରସା ଜିତିବାକୁ ପଡିବ ।

ପରିବାରବାଦ ଅଭିଯୋଗର ସାମନା

ଓ୍ବାଏନାଡରୁ ନିର୍ବାଚନ ଜିତିଲେ ବି କଂଗ୍ରେସ ବିରୋଧରେ ପରିବାରବାଦ ଅଭିଯୋଗ ଆହୁରି ତେଜିବ । କାରଣ ରାଜ୍ୟସଭାରେ ସୋନିଆ ତ ଲୋକସଭାରେ ରାହୁଲ ଓ ପ୍ରିୟଙ୍କା ରହିବେ । ଏହାକୁ ପରିବାରବାଦର କ୍ଲାସିକ ଉଦାହରଣ କହି ସାରା ଦେଶରେ ଉପସ୍ଥାପନ କରିବ ବିଜେପି । ପୂର୍ବରୁ ହିଁ ଏହି ନାରେଟିଭକୁ ନେଇ କଂଗ୍ରେସ କ୍ଷତି ସହିଛି । ତେଣୁ ପ୍ରିୟଙ୍କା ନିର୍ବାଚନ ରାଜନୀତିକୁ ଓହ୍ଲାଇବା ପରେ ତାଙ୍କୁ ପରିବାରବାଦ ନାରେଟିଭକୁ ସାମନା କରିବାକୁ ପଡିବ ।

ପ୍ରିୟଙ୍କାଙ୍କ ପାଇଁ ଓ୍ବାଏନାଡରୁ ନିର୍ବାଚନ ଲଢିବା କେବଳ ଚ୍ୟାଲେଞ୍ଜ ନୁହେଁ, ଅନେକ ସୁଯୋଗ ବି ଆଣିପାରେ । ପ୍ରିୟଙ୍କାଙ୍କୁ ଓ୍ବାଏନାଡରୁ ପ୍ରାର୍ଥୀ କରି ଉତ୍ତର-ଦକ୍ଷିଣ ବାଲାନ୍ସ କରିବାକୁ ଉଦ୍ୟମ କରିଛି କଂଗ୍ରେସ । ରାହୁଲ ଗାନ୍ଧୀ ଉତ୍ତର ଭାରତରେ ଅଧିକ ସକ୍ରିୟ ରହିଲେ ପ୍ରିୟଙ୍କା ଦକ୍ଷିଣରୁ କଂଗ୍ରେସର ଚେହେରା ହେବେ । ସେହିପରି ପ୍ରିୟଙ୍କା ନିର୍ବାଚନ ଜିତିଲେ ଲୋକସଭାରେ କଂଗ୍ରେସକୁ ଜଣେ ଭଲ ବକ୍ତା ମିଳିବେ । ଗତ କିଛି ବର୍ଷ ହେଲା ଲୋକସଭାରେ କଂଗ୍ରେସ ପାଖରେ ଶକ୍ତିଶାଳୀ ହିନ୍ଦୀ ଭାଷୀ ବକ୍ତାଙ୍କ ଅଭାବ ରହିଥିଲା । ରାହୁଲ ଯିବା ପରେ ଏହି ଅଭାବ କିଛିଟା କମିଛି, ତେବେ ପ୍ରିୟଙ୍କା ଲୋକସଭାକୁ ଏଣ୍ଟ୍ରି କଲେ କଂଗ୍ରେସର ସ୍ବର ଆହୁରି ମଜବୁତ ହେବ ।

 

Leave A Reply

Your email address will not be published.