Latest Odisha News

BREAKING NEWS

ପ୍ରିୟଙ୍କାଙ୍କୁ ବ୍ୟାଗରେ ଜବାବ

ନୂଆଦିଲ୍ଲୀ: ବ୍ୟାଗକୁ ନେଇ ସଂସଦର ଶୀତ ଅଧିବେଶନରେ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । କେତେବେଳେ ପାଲେଷ୍ଟାଇନ୍ ତ କେତେବେଳେ ବାଂଲାଦେଶ ସଂଖ୍ୟାଲଘୁଙ୍କ ସଂପର୍କିତ ବାର୍ତ୍ତା ଲେଖାଥିବା ବ୍ୟାଗ ନେଇ ସଂସଦକୁ ଆସିଛନ୍ତି ପ୍ରିୟଙ୍କା । ତେବେ ଶୀତଅଧିବେଶନର ଶେଷ ଦିନରେ ପ୍ରିୟଙ୍କାଙ୍କୁ ବ୍ୟାଗ୍ ଦେଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ବ୍ୟାଗ ଉପରେ ୧୯୮୪ ଲେଖାଥିବା ବେଳେ ରକ୍ତ ଚିତ୍ର ରହିଛି । ରକ୍ତ ଚିତ୍ର ରହିଥିବା ଏହି ବ୍ୟାଗ ୧୯୮୪ ଶିଖ ଦଙ୍ଗାକୁ ମନେ ପକାଇ ଦେଇଛି । ତେବେ ପ୍ରିୟଙ୍କା ବ୍ୟାଗ ନେଇଥିବା ବେଳେ କିଛି କହିନଥିବା ଅପରାଜିତା କହିଛନ୍ତି ।

ବ୍ୟାଗରେ ବିଜେପିର ଜବାବ

ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କାଙ୍କୁ ରକ୍ତ ଚିତ୍ର ସହ ୧୯୮୪ ଲେଖାଥିବା ବ୍ୟାଗ ଉପହାର ଦେଇଛନ୍ତି । ବ୍ୟାଗ ଉପହାର ଦେଇ ଶିଖ ଦଙ୍ଗାକୁ ମନେ ପକାଇ ଦେଇଛନ୍ତି ଅପରାଜିତା । ଶିଖ ଦଙ୍ଗାରେ ଶିଖ ବିରୋଧୀ ହିଂସା ଘଟଣା ସାମନାକୁ ଆଣିବାର ଜରୁରୀ ଥିଲା । ପ୍ରିୟଙ୍କା ଗାନ୍ଧୀ ବ୍ୟାଗକୁ ବେଶୀ ଭଲ ପାଆନ୍ତି । ତେଣୁ ତାଙ୍କୁ ୧୯୮୪ ଶିଖ ଦଙ୍ଗା ଓ ରକ୍ତ ଛିଟା ଚିତ୍ର ଥିବା ବ୍ୟାଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । କଂଗ୍ରେସର ବର୍ତ୍ତମାନ ପୀଢି ୫୫ବର୍ଷ ଧରି ଦଳ କ୍ଷମତାରେ ଥିବା ବେଳେ କରିଥିବା ଐତିହାସିକ ଭୁଲ ସଂପର୍କରେ ଜାଣିବା ଦରକାର ବୋଲି ସେ କହିଛନ୍ତି।

ବ୍ୟାଗ ପାଇଁ ଚର୍ଚ୍ଚାରେ ପ୍ରିୟଙ୍କା

ଓ୍ବାଏନାଡରୁ ସାଂସଦ ନିର୍ବାଚିତ ହେବା ପରେ ସଂସଦକୁ ଆସିଛନ୍ତି ପ୍ରିୟଙ୍କା ଗାନ୍ଧୀ । ତେବେ ଶୀତକାଳୀନ ଅଧିବେଶନରେ ବ୍ୟାଗକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ପ୍ରିୟଙ୍କା । ବିରୋଧୀ ଗୌତମ ଆଦାନୀଙ୍କୁ ନେଇ ସରକାରଙ୍କୁ ବିରୋଧ କରିଆସୁଥିବା ବେଳେ ଡିସେମ୍ବର ୧୦ତାରିଖରେ ପ୍ରିୟଙ୍କା ମୋଦି ଆଦାନୀ ଭାଇ ଭାଇ ଲେଖାଥିବା ବ୍ୟାଗ ପକାଇ ସଂସଦକୁ ଆସିଥିଲେ । ଏହାପରେ ୧୬ଡିସେମ୍ବରରେ ପ୍ରିୟଙ୍କା ପାଲେଷ୍ଟାଇନ୍ ପ୍ରତି ସମର୍ଥନ ଦେଖାଇ ଏହି ଥିମର ବ୍ୟାଗ ନେଇ ସଂସଦକୁ ଆସିଥିଲେ । ବ୍ୟାଗରେ ପାଲେଷ୍ଟାଇନ୍ ଲେଖାହେବା ସହ ଶାନ୍ତିର ପ୍ରତୀକ ପାରା ଓ ପାଲେଷ୍ଟାଇନର ପ୍ରତୀକ ଚିହ୍ନ ବି ରହିଥିଲା । ବ୍ୟାଗକୁ ନେଇ ବିବାଦ ହୋଇଥିଲା, ବିଜେପି ବି ସମାଲୋଚନା କରିଥିଲା । ଏହାପରେ ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଠିଆ ହେବା ନେଇ ବାର୍ତ୍ତା ଥିବା ବ୍ୟାଗ ପକାଇଥିଲେ ପ୍ରିୟଙ୍କା ।

ବ୍ୟାଗରୁ ରାଜନୈତିକ ବାର୍ତ୍ତା

ପାଲେଷ୍ଟାଇନ୍ ଓ ବାଂଲାଦେଶ ସଂପର୍କିତ ବ୍ୟାଗ ପକାଇ ପ୍ରିୟଙ୍କା ରାଜନୈତିକ ବାର୍ତ୍ତା ଦେଇଥିବା ଚର୍ଚ୍ଚା ହୋଇଥିଲା । ପାଲେଷ୍ଟାଇନ୍ ବ୍ୟାଗ ପକାଇ ଇସ୍ରାଏଲ ଆକ୍ରମଣକୁ ବିରୋଧ କରିବା ସହ ମୁସଲିମ ଭୋଟବ୍ୟାଙ୍କକୁ ନିଜ ଆଡକୁ ଆଣିବାକୁ ପ୍ରିୟଙ୍କା ଉଦ୍ୟମ କରିଥିବା ଚର୍ଚ୍ଚା ହୋଇଥିଲା । ସେହିପରି ବାଂଲାଦେଶୀ ହିନ୍ଦୁଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲେ ପ୍ରିୟଙ୍କା। ଏଥିସହ ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ କରି ଅନ୍ୟାୟ ବିରୋଧରେ ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ ପ୍ରିୟଙ୍କା । ତେବେ ପ୍ରିୟଙ୍କାଙ୍କୁ ଶିଖ ଦଙ୍ଗା ମନେ ପକାଉଥିବା ବ୍ୟାଗ ଉପହାର ଦେଇ ରାଜନୈତିକ କାଉଣ୍ଟର କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । କିଛି ନକହି ବି ବଡ଼ ସନ୍ଦେଶ ଦେଇଛନ୍ତି । ପୂର୍ବ କଂଗ୍ରେସ ସରକାରଙ୍କ ଐତିହାସିକ ଭୁଲକୁ ମନେ ପକାଇ ଦେବାକୁ ଉଦ୍ୟମ କରିଛନ୍ତି । ଶିଖ ବଡିଗାର୍ଡଙ୍କ ଦ୍ବାରା ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖ୍ ଦଙ୍ଗା ହୋଇଥିଲା । ସେଥିରେ ଶିଖ ସଂପ୍ରଦାୟର ପ୍ରାୟ ୨୭ଶହ ୩୦ ଜଣ ପ୍ରାଣ ହରାଇଥିଲେ । ଦଙ୍ଗାର ତଦନ୍ତ କରିଥିବା ନାନାବତୀ କମିଶନ ଦଙ୍ଗା ପାଇଁ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦାୟୀ କରିଥିଲେ ।

ସଂସଦରେ ବ୍ୟାଗ ରାଜନୀତି ଆରମ୍ଭ କରିଥିଲେ ପ୍ରିୟଙ୍କା ଗାନ୍ଧୀ । ଆଦାନୀ, ପାଲେଷ୍ଟାଇନ୍ ଓ ବାଂଲାଦେଶ ଭଳି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ବ୍ୟାଗ ମାଧ୍ୟମରେ ଘେରିଥିଲେ । ତେବେ ସଂସଦର ଶୀତକାଳୀନ ଅଧିବେଶନର ଶେଷ ଦିନରେ ପ୍ରିୟଙ୍କାଙ୍କୁ ବ୍ୟାଗ ଉପହାର ଦେଇ ବିଜେପି ପକ୍ଷରୁ ରାଜନୈତିକ ଜବାବ ଦେଇଛନ୍ତି ଅପରାଜିତା ଷଡଙ୍ଗୀ ।

Leave A Reply

Your email address will not be published.