Latest Odisha News

ସାଂସଦରେ ଗର୍ଜିଲେ ପ୍ରିୟଙ୍କା: କହିଲେ, ସମ୍ବିଧାନକୁ ଭାଙ୍ଗିବାକୁ ବଦଳାଇବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ଦୁଇ ଦିନ ଧରି ଚାଲିବ ମହାବିତର୍କ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଠାରୁ ଲୋକସଭାରେ ସମ୍ବିଧାନ ଉପରେ ଦୁଇ ଦିନିଆ ଆଲୋଚନା ଆରମ୍ଭ କରିଛନ୍ତି। ଶାସକ ଦଳ ପକ୍ଷରୁ ପ୍ରଥମେ ପ୍ରତିରକ୍ଷାମନ୍ତ୍ରୀ ଓ ବିରୋଧୀ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ତର୍କ କରିଛନ୍ତି। କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ କେଉଁ ନେତୃତ୍ୱ ନେଇଥିଲେ ଏହାର ଉତ୍ତର ଦେବାକୁ ରାଜନାଥ ସିଂ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ। ଏହାର କଡା ଜବାବ ରଖିଥିଲେ ପ୍ରିୟଙ୍କା।

ଲୋକସଭାରେ ତାଙ୍କର ପ୍ରଥମ ଭାଷଣ ମାଧ୍ୟମରେ ପ୍ରିୟଙ୍କା କେବଳ ବିଜେପି ଏବଂ ମୋଦି ସରକାରଙ୍କ ଉପରେ ଆକ୍ରମଣ କରୁଥିବାର ଦେଖାଯାଇନଥିଲା ବରଂ ରାଜନୈତିକ ବାର୍ତ୍ତା ଦେଉଥିବାର ମଧ୍ୟ ଦେଖାଯାଇଥିଲା। ପ୍ରିୟଙ୍କା ଗାନ୍ଧୀ ହାଥରସରୁ ନେଇ ସମ୍ଭଲ, ଦେଶରେ ନ୍ୟିାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ ୧୦ ବର୍ଷ ହେଲା ସମ୍ବିଧାନକୁ ଭାଙ୍ଗିବାକୁ ବଦଳାଇବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର। ଶାସକ ଦଳର ଚାଲକୁ କିନ୍ତୁ ଜାଣିଗଲେ ଦେଶବାସୀ । ଭୋଟରେ ଦେଲେ କଡ଼ା ଜବାବ । ମିଳିଲାନି ସଂଖ୍ୟା ଗରିଷ୍ଠତା । କାରଣ ଲୋକେ ସମ୍ବିଧାନ ବଦଳା ନୀତିକୁ ସହଜରେ ଗ୍ରହଣ କରିପାରିଲେନି । ତେଣୁ ଭୋଟରେ ଜବାବ ଦେଲେ ବୋଲି କହି କେନ୍ଦ୍ରକୁ ଏମିତି ଟାର୍ଗେଟ କରିଛନ୍ତି ନବନିର୍ବାଚିତ ୱାୟନାଡ଼ ସାଂସଦ ତଥା ରାଜୀବ ତନୟା ପ୍ରିୟଙ୍କା ଗାନ୍ଧୀ ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରୁ ଏକ ସ୍ୱର ବାହାରିଲା, ଏହା ସାହସର ସ୍ୱର, ଆମର ସ୍ୱାଧୀନତାର ସ୍ୱର। ଏହି ସ୍ୱାର ଆମ ସମ୍ବିଧାନ ଲେଖିଛି। ସମ୍ବିଧାନ ଦିବସରେ ସ୍ବତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରି ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ପ୍ରିୟଙ୍କା। କହିଥିଲେ, ଆମ ସମ୍ବିଧାନ ଆମ ସୁରକ୍ଷା କବଚ । ନ୍ୟାୟ ଓ ଏକତାର କବଚ ହେଉଛି ସମ୍ବିଧାନ। ଆମକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ପ୍ରତିଶୃତି ଦେଇଛି। ଦେଶବାସୀଙ୍କ ସୁରକ୍ଷା କବଚ ସାଜି ଆଜି ପର୍ଯ୍ୟନ୍ତ ରକ୍ଷା କରି ଆସିଛି ଆମ ସମ୍ବିଧାନ ବୋଲି କହିବା ସହିତ ଏହାକୁ ବଦଳାଇବା ଯୋଜନାକୁ ଲୋକେ ହିଁ ଧୂଳିସାତ କରିଦେଇଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଗାନ୍ଧୀ ଏକ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି ୨୦୨୪ରେ ବିଜେପିର ଆସନ ହ୍ରାସ ହୋଇନଥାନ୍ତା ତେବେ ମୋଦି ସରକାର ସମ୍ବିଧାନ ପରିବର୍ତ୍ତନ କାର୍ଯ୍ୟ ଆରମ୍ଭ କରିଥାନ୍ତେ। ମୋଦି ସରକାରଙ୍କୁ ଲକ୍ଷ୍ୟ କରି ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି ଯେ ସେ ଏହି ସମ୍ବିଧାନକୁ ଏକକ ସମ୍ବିଧାନ ବୋଲି କହୁଛନ୍ତି କାରଣ ଏହି ନିର୍ବାଚନରେ ​​ଜିତିବା ଏବଂ ହାରିବା ଦ୍ୱାରା ସମ୍ବିଧାନର ପରିବର୍ତ୍ତନର ଆଲୋଚନା କାମ କରିବ ନାହିଁ। ଆମର ସ୍ୱାଧୀନତା ସଂଗ୍ରାମ ଅହିଂସା ଉପରେ ଆଧାରିତ ଏକ ନିଆରା ସଂଗ୍ରାମ ଥିଲା। ଏହି ସଂଗ୍ରାମ ଏକ ଗଣତାନ୍ତ୍ରିକ ଲଢ଼େଇଥିଲା। ଆମ ଦେଶରେ କଥାବାର୍ତ୍ତା ଏବଂ ଆଲୋଚନାର ପରମ୍ପରା ରହିଆସିଛି। ଏହା ଏକ ଗୌରବମୟ ପରମ୍ପରା। ଏହି ପରମ୍ପରା ଦାର୍ଶନିକ ଗ୍ରନ୍ଥ ଏବଂ ବେଦରେ ମଧ୍ୟ ଦୃଶ୍ୟମାନ ହୁଏ। ଇସଲାମ, ସୁଫି, ଜୈନ ଧର୍ମ ଏବଂ ବୈଦ୍ଧ ଧର୍ମରେ ମଧ୍ୟ ଏହାର ସଂସ୍କୃତି ରହିଆସିଛି। ଆମର ସ୍ୱାଧୀନତା ସଂଗ୍ରାମ ଏହି ପରମ୍ପରାରୁ ବାହାରିଥିଲା ବୋଲି କହିଥିଲେ ପ୍ରିୟଙ୍କା।

Comments are closed.