ନୂଆଦିଲ୍ଲୀ: ପ୍ରଥମେ ପାଲେଷ୍ଟାଇନ୍, ଏବେ ବାଂଲାଦେଶୀ ଅଳ୍ପସଂଖ୍ୟକଙ୍କ ଚିନ୍ତା । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗକୁ ନେଇ ତେଜିଲା ରାଜନୀତି । କାନ୍ଧରେ ବ୍ୟାଗ ପକାଇ କେଉଁ ସନ୍ଦେଶ ଦେଉଛନ୍ତି ପ୍ରିୟଙ୍କା? ନିଜ ବ୍ୟାଗକୁ ନେଇ ଦୁଇ ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା । ଗତକାଲି ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ବିଜେପି ନେତା ତାଙ୍କୁ ସମାଲୋଚନା ବି କରିଥିଲେ । ଆଜି ପୁଣି ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ବାର୍ତ୍ତା ଲେଖାଥିବା ବ୍ୟାଗ ପକାଇ ସଂସଦକୁ ଆସିଛନ୍ତି ପ୍ରିୟଙ୍କା । ଯାହାକୁ ନେଇ ତେଜିଛି ରାଜନୀତି ।
କାଲି ପାଲେଷ୍ଟାଇନ୍ ଆଜି ବାଂଲାଦେଶ
ଗତକାଲି ପ୍ରିୟଙ୍କା କାନ୍ଧରେ ପକାଇଥିବା ବ୍ୟାଗରେ ବଡ ବଡ ଅକ୍ଷରରେ ଲେଖାଥିଲା ପାଲେଷ୍ଟାଇନ୍ । ବ୍ୟାଗରେ ଶାନ୍ତିର ପ୍ରତୀକ ପାରା ଓ ପାଲେଷ୍ଟାଇନର ପ୍ରତୀକ ଚିହ୍ନ ବି ରହିଥିଲା । ବ୍ୟାଗ ଦ୍ବାରା ପାଲେଷ୍ଟାଇନ୍ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍ କରିଥିଲେ ପ୍ରିୟଙ୍କା। ପୂର୍ବରୁ ମଧ୍ୟ ସୋସିଆଲ୍ ମିଡିଆରେ ପ୍ରିୟଙ୍କା ଇସ୍ରାଏଲ୍ ହମଲାର ବିରୋଧ କରିବା ସହ ଏହାକୁ ନରସଂହାର କହିଥିଲେ । ସେହିପରି ଆଜି ବାଂଲାଦେଶରେ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ବାର୍ତ୍ତା ଲେଖାଥିବା ବ୍ୟାଗ ପକାଇଛନ୍ତି । ଦୁଇ ଦିନରେ ପାଲେଷ୍ଟାଇନ୍ ଉପରେ ଆକ୍ରମଣ ଓ ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ଆକ୍ରମଣକୁ ପ୍ରତୀକାତ୍ମକ ଭାବେ ବିରୋଧ କରିଛନ୍ତି ପ୍ରିୟଙ୍କା ।
ପ୍ରିୟଙ୍କାଙ୍କ ବ୍ୟାଗରେ କ’ଣ ସନ୍ଦେଶ?
ଚଳିତ ବର୍ଷ ଜୁନରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସମାଲୋଚନା କରିଥିଲେ ପ୍ରିୟଙ୍କା । ଓ୍ବାଏନାଡରୁ ନିର୍ବାଚିତ ହୋଇ ଦିଲ୍ଲୀ ଆସିବା ପରେ ପାଲେଷ୍ଟାଇନ୍ ଦୂତାବାସ ପ୍ରଭାରୀ ଅବେଦ ଏଲରାଜେଗ ପ୍ରିୟଙ୍କାଙ୍କୁ ଭେଟି ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ତେଣୁ ଗତକାଲି ପାଲେଷ୍ଟାଇନ୍ ବ୍ୟାଗ ପକାଇ ଇସ୍ରାଏଲ ଆକ୍ରମଣକୁ ବିରୋଧ କରିବା ସହ ମୁସଲିମ ଭୋଟବ୍ୟାଙ୍କକୁ ନିଜ ଆଡକୁ ଆଣିବାକୁ ପ୍ରିୟଙ୍କା ଉଦ୍ୟମ କରିଥିବା କୁହାଯାଉଛି । ସେହିପରି ବାଂଲାଦେଶୀ ହିନ୍ଦୁଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ କରି ଅନ୍ୟାୟ ବିରୋଧରେ ନିଜ ସ୍ପଷ୍ଟ ଆଭିମୁଖ୍ୟ ନେଇ ପ୍ରିୟଙ୍କା ସନ୍ଦେଶ ଦେଇଛନ୍ତି ।
ବ୍ୟାଗ ରାଜନୀତି ବିଜେପିର ବିରୋଧ
ପ୍ରିୟଙ୍କା ପାଲେଷ୍ଟାଇନ୍ ବ୍ୟାଗ କାନ୍ଧରେ ପକାଇବା ନେଇ ଜୋରଦାର ସମାଲୋଚନା କରିଥିଲା ବିଜେପି । ଗାନ୍ଧୀ ପରିବାର ତୁଷ୍ଟୀକରଣ ରାଜନୀତି କରେ । ତୁଷ୍ଟୀକରଣ ବ୍ୟାଗ ହିଁ ସେମାନଙ୍କର ନିର୍ବାଚନ ହାରିବାର କାରଣ ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ । ସେହିପରି କଂଗ୍ରେସ ନୂଆ ମୁସଲିମ୍ ଲିଗ୍ । ରାହୁଲଙ୍କଠାରୁ ପ୍ରିୟଙ୍କା ବଡ଼ ବିପର୍ଯ୍ୟୟ । ଶୀତକାଳୀନ ଅଧିବେଶନ ପରେ କଂଗ୍ରେସ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ଉଚିତ ବୋଲି କହି ସମାଲୋଚନା କରିଥିଲେ ବରିଷ୍ଠ ବିଜେପି ନେତା ଅମିତ ମାଲବ୍ୟ । ତେବେ ସେ କଣ ପିନ୍ଧିବେ ସେନେଇ ଟିପ୍ପଣୀ କରିବା ପିତୃକୈନ୍ଦ୍ରୀକ ମାନସିକତା ବୋଲି କହି ଜବାବ ଦେଇଥିଲେ ପ୍ରିୟଙ୍କା ।
ସ୍ବତନ୍ତ୍ର ବାର୍ତ୍ତା ଥିବା ବ୍ୟାଗ ପକାଇ ସଂସଦକୁ ଆସିବା ସହ ନିଆରା ଢଙ୍ଗରେ ବଡ ପ୍ରସଙ୍ଗ ଉଠାଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ପାଲେଷ୍ଟାଇନ ହେଉ କି ବାଂଲାଦେଶ, ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ବାର୍ତ୍ତା ଦେଉଥିବା ବ୍ୟାଗ ପକାଇ ସ୍ବର ଉଠାଇଛନ୍ତି । ଭୁଲ ହେଉ କି ଠିକ୍, ମାଇଲେଜ୍ ରାଜନୀତି ହେଉ କିମ୍ବା ରାଜନୀତିରେ ମାଷ୍ଟରଷ୍ଟ୍ରୋକ୍ ପ୍ରିୟଙ୍କାଙ୍କ ବ୍ୟାଗ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।
Comments are closed.