Latest Odisha News

ଆଜିଠୁ କଳିଙ୍ଗରେ ହକି ଫାଇଟ୍; ଆଗାମୀ ବିଶ୍ବକପ୍‌ ଟିକେଟ୍‌ ଉପରେ ହର୍ମନପ୍ରୀତଙ୍କ ନଜର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଠାରୁ ହକି ପର୍ବ ଆରମ୍ଭ। ଦର୍ଶକ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ମ୍ୟାଚର ମଜା ଉଠାଇପାରିବେ । ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫ ସିଜନରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆଜିଠାରୁ ଘରୋଇ ଗ୍ରାଉଣ୍ଡରେ ନିଜର ଅଭିଯାନ ଆରମ୍ଭ କରିବେ। ଆଜି ଭାରତୀୟ ପୁରୁଷ ଦଳ ସ୍ପେନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରୁଥିବାବେଳେ ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବେ ।  ଏପଟେ ପ୍ରୋଲିଗ୍ ରେ ବିଜେତା ଦଳ ସିଧାସଳଖ ୨୦୨୬ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିବ।

ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଜର୍ମାନୀ ମହିଳା ହକି ଦଳକୁ ଭେଟିବ ସ୍ପେନ ଦଳ । ଦିନ ୩ଟାରେ ଏହି ମ୍ୟାଚ ଆରମ୍ଭ ହେବ । ଏହାପରେ ସନ୍ଧ୍ୟା ୫ଟା୧୫ରେ ଭାରତୀୟ ମହିଳା ହକି ଦଳ ଅତିଥି ଦଳ ଇଂଲଣ୍ଡକୁ ଭେଟିବ । ସନ୍ଧ୍ୟା ୭ଟା୩୦ରେ ଭାରତୀୟ ପୁରୁଷ ଦଳ ସ୍ପେନ ବିପକ୍ଷରେ ଫାଇଟ୍ କରିବ ।

 

ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ କହିଛନ୍ତି ଯେ, ଆମର ସବୁ ଖେଳାଳି ଭଲ ଲୟରେ ଅଛନ୍ତି ଏବଂ ପ୍ରତ୍ୟେକ ମ୍ୟାଚ୍‌ ଜିତିବା ଲାଗି ଲକ୍ଷ୍ୟ ରଖିଛନ୍ତି। ହକି ଇଣ୍ଡିଆ ଲିଗରେ ଆମ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି । ଯୁଗରାଜ ସିଂ ଟପ୍ ସ୍କୋରର ହୋଇଛନ୍ତି । ଜର୍ମାନୀ, ଆୟର୍ଲାଣ୍ଡ, ସ୍ପେନ, ଇଂଲଣ୍ଡ ଏହି ଲେଗ୍ ରେ ଖେଳିବେ । ଏମାନଙ୍କ ସହ ଓ ଅନ୍ୟ ଶୀର୍ଷ ଦଳ ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ବେଲଜିୟମ ବିପକ୍ଷରେ ଭଲ ଖେଳି ଆମେ ବିଶ୍ବକପକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛୁ ।

ସେହିପରି ଭାରତୀୟ ମହିଳା ଦଳର ଅଧିନାୟିକା ସଲିମା ଟେଟେ କହିଛନ୍ତି, ଆମେ ପ୍ରୋ ଲିଗରେ ଖେଳିବାକୁ ସଂଘର୍ଷ କରିଥିଲୁ । ଏବେ ସୁଯୋଗ ପାଇଛୁ । ଏଥିରୁ ଫାଇଦା ଉଠାଇବାକୁ ଆମେ ସମସ୍ତ ଚେଷ୍ଟା କରିବୁ ।

ସୂଚନାଥାଉକି, ଗତ ୨୦୨୩-୨୪ ସଂସ୍କରଣରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ପୁରୁଷ ଦଳ ସପ୍ତମ ସ୍ଥାନରେ ରହି ସବୁଠାରୁ ରେକର୍ଡ ଖରାପ ପ୍ରଦର୍ଶନ କରି ଅଭିଯାନ ଶେଷ କରିଥିଲା । ପୂର୍ବରୁ ଭାରତ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ । ସେହିପରି ୨୦୨୩-୨୪ ସଂସ୍କରଣରେ ଅଷ୍ଟମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ୩ୟ ଥର ପାଇଁ ମହିଳା ଦଳ ପ୍ରୋ ଲିଗରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ।

ଏହି ଅବସରରେ ଷ୍ଟାଡିୟମରେ ପ୍ରବେଶ ପାଇଁ ସମସ୍ତ ପ୍ରଶଂସକଙ୍କ ପାଇଁ ମାଗଣା ମିଳିବ ଟିକେଟ୍ । ଭର୍ଚୁଆଲ୍ ଟିକେଟ୍ ପାଇବା ପାଇଁ ପ୍ରଶଂସକମାନେ www.ticketgenie.in ମାଧ୍ୟମରେ ସେମାନଙ୍କର ବିବରଣୀ ପ୍ରବେଶ କରି ସହଜରେ ସେମାନଙ୍କର ଟିକେଟ୍ ସୁରକ୍ଷିତ କରିପାରିବେ ।

Comments are closed.