Latest Odisha News

BREAKING NEWS

ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୧ ଜିଲ୍ଲାରେ ବର୍ଷା, ୨୬ ସକାଳେ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗରର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖ ସକାଳେ ଛୁଇଁବା ଆଶଙ୍କା କରାଯାଉଛି ।

ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ହେବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୫ ତାରିଖରୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ବାତ୍ୟା ସହ ବର୍ଷାର ପରିମାଣ ମଧ୍ୟ ବଢ଼ିବ ।

୨୨ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ । ପବନର ବେଗ ବଢ଼ି ୨୩ ତାରିଖ ସକାଳେ ଘଣ୍ଟାପ୍ରତି ୪୫ରୁ ୫୫ କିମି ହୋଇପାରେ । ପବନର ବେଗ କ୍ରମଶଃ ବଢ଼ି ଘଣ୍ଟାପ୍ରତି ୬୫ରୁ ୭୫ ରହିପାରେ । କେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳରେ ୨୪ ତାରିଖ ସକାଳୁ ପବନର ବେଗ ୨୫ ତାରିଖ ଯାଏ ବଢ଼ିବ । ଏହି ସମୟରେ ସମୁଦ୍ର ୨୬ ତାରିଖ ଯାଏ ଅଶାନ୍ତ ରହିବ । ୨୩ ତାରିଖ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ କୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.