Latest Odisha News

BREAKING NEWS

‘ଚଳିତବର୍ଷ କାର୍ତ୍ତିକରେ ମହାପ୍ରସାଦ ପ୍ରସ୍ତୁତି ନେଇ ଉପୁଜିପାରେ ସମସ୍ୟା’

ପୁରୀ: ଆଗକୁ ଆସୁଛି ମହାକାର୍ତ୍ତିକ ମାସ । ଶ୍ରୀକ୍ଷେତ୍ରରେ ଏକ ମାସ ଧରି ହବିଷ୍ୟାଳିଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେବ l ଏହି ସମୟରେ ସରକାରଙ୍କ ଦ୍ୱାରା ହବିଷ୍ୟାଳି ଯୋଜନାରେ ମାଆ ମାନଙ୍କ ସୁବିଧାରେ ରହଣି ଠାରୁ ଆରମ୍ଭ କରି ପୂଜାର୍ଚ୍ଚନା, ମହାପ୍ରସାଦ ସେବନ, ମେଡିକାଲ ସୁବିଧା ଓ ପିଇବା ପାଣି ସୁବିଧା ଆଦି ଗ୍ରହଣ କରାଯିବା ଭଳି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବାକୁ ଲକ୍ଷ ରଖାଯାଇଛି l ଏନେଇ ପ୍ରଶାସନିକ ସ୍ତରରେ ପ୍ରାଥମିକ ଭାବରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ତେବେ ଚଳିତବର୍ଷ କାର୍ତ୍ତିକ ମାସରେ ମହାପ୍ରସାଦ ପାଇବା ନେଇ ସମସ୍ୟା ଉପୁଜିପାରେ ବୋଲି ସୁଆରମହାସୁଆର ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଅଛି l ମହାପ୍ରସାଦ ରୋଷ ପାଇଁ କାଠର ଅଭାବ ରହିଥିବା ନିଯୋଗ ପକ୍ଷରୁ କୁହାଯାଇଥିବାବେଳେ, ସମସ୍ୟାର ସମାଧାନ କରାନଗଲେ କାର୍ତ୍ତିକ ମାସରେ ଆବଶ୍ୟକୀୟ ମାତ୍ରାର ମହାପ୍ରସାଦ ପ୍ରସ୍ତୁତିରେ ସମସ୍ୟା ଉପୁଜିପାରେ ବୋଲି ନିଯୋଗ ଅଭିଯୋଗ ଆଣିଛି l

ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଶ୍ରୀମନ୍ଦିର ରୋଷ ପାଇଁ ବନ ବିଭାଗ ମାତ୍ର ୩୫ କୁଇଁଣ୍ଟାଲ କାଠ ଯୋଗାଉଛି, ଯେତବେଳେକି ଆମର ଦୈନିକ ୧୨୦ କୁଇଁଣ୍ଟାଲ କାଠ ଆବଶ୍ୟକ ହେଉଛି । ଆଗକୁ ମହାକାର୍ତ୍ତିକ ମାସ ଆସୁଥିବାବେଳେ, ହବିଷ୍ୟାଳୀଙ୍କ ସମେତ ବହୁ ଭକ୍ତଙ୍କ ପାଇଁ ମହାପ୍ରସାଦର ଆବଶ୍ୟକତା ରହିବ । ତେଣୁ ପ୍ରଶାସନ ଯଦି ଶୀଘ୍ର ଏହାର ସମାଧାନ ନକରେ ତେବେ ଆମେ କାର୍ତ୍ତିକରେ ମହାପ୍ରସାଦ ପ୍ରସ୍ତୁତି ବନ୍ଦ କରିଦେବୁ ।

ସେପଟେ ସୁଆର ମହାସୁଆର ନିଯୋଗର ଅଭିଯୋଗକୁ ମଧ୍ୟ ସମୀକ୍ଷା କରାଯାଉଥିବାବେଳେ ଏହାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି l

ତେବେ ଧାର୍ମିକ ଓ ଅଧ୍ୟାତ୍ମିକତା ଦୃଷ୍ଟି କୋଣରୁ ଶ୍ରୀକ୍ଷେତ୍ରରେ ହବିଷ ବ୍ରତ ପାଳନର ସ୍ୱତ୍ରନ୍ତ୍ରତା ରହିଥିବାବେଳେ ମହାପ୍ରସାଦ ପ୍ରସ୍ତୁତିରେ କାଠ ଯୋଗାଣ ସମସ୍ୟା ଦୂରୀଭୂତ କରିବା ନିହାତି ଆବଶ୍ୟକତା ରହିଛି l

Comments are closed.