Latest Odisha News

ଗୁପ୍ତଧନ ଆଳରେ ସିରିଜ ମର୍ଡର ଘଟଣାର ପର୍ଦ୍ଦଫାସ, ବନ୍ଧାହେଲା ଭଣ୍ଡ ତାନ୍ତ୍ରିକ

ହାଇଦ୍ରାବାଦ: ଗୁପ୍ତଧନ ଆଳରେ ସିରିଜ ମର୍ଡର ଘଟଣାର ପର୍ଦ୍ଦଫାସ କରିଛି ପୋଲିସ। ସାମନାକୁ ଆସିଛି ସିରିଜ ହତ୍ୟାର କୁତ୍ସିତ କାରନାମା । ଗୁପ୍ତଧନ ଠାବ କରିଦେବା ପ୍ରଲୋଭନ ଦେଖାଇ ଜଣେ କି ଦୁଇ ଜଣଙ୍କୁ ନୁହେଁ, ୧୧ଜଣଙ୍କୁ ହତ୍ୟା କରିଥିଲା ଭଣ୍ଡ ତାନ୍ତ୍ରିକ । ନିଜକୁ ରିଅଲ ଏଷ୍ଟେଟ ଏଜେଣ୍ଟ ପରିଚୟ ଦେବା ସହ ଗୁପ୍ତଧନ ସନ୍ଧାନ କରିପାରୁଥିବା ତାନ୍ତ୍ରିକର ପରିଚୟ ଦେଇ ସିରିଜ ହତ୍ୟା ଘଟାଉଥିଲା। ଏହି ଭଣ୍ଡ ତାନ୍ତ୍ରିକ ସତ୍ୟନାରାୟଣକୁ ଗିରଫ କରିଛି ପୋଲିସ ।

୨୦୨୦ରୁ ବର୍ତ୍ତମାନ ସୁଦ୍ଧା ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ମୋଟ ୧୧ଜଣଙ୍କୁ ହତ୍ୟା କରିଛି। ହାଇଦ୍ରାବାଦର ଜଣେ ରିଅଲଟର ଏ. ଭେଙ୍କଟେଶଙ୍କ ନିଖୋଜ ହେବା ନେଇ ତାଙ୍କ ପତ୍ନୀ ଗତ ନଭେମ୍ବର ୨୮ରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଆର. ସତ୍ୟନାରାୟଣକୁ ପୋଲିସ ଗିରଫ କରିଛି । ଗତ ୪ ବର୍ଷ ମଧ୍ୟରେ ସେ ୧୧ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ସତ୍ୟନାରାୟଣ ।
ତଦନ୍ତରୁ ସ୍ପଷ୍ଟ ହୋଇଛି, ହାଇଦ୍ରାବାଦର ଜଣେ ରିଏଲ ଇଷ୍ଟେଟ ଏଜେଣ୍ଟ ଜରିଆରେ ଭେଙ୍କଟେଶଙ୍କ ସହ ଯୋଗାଯୋଗ କରିଥିଲା ସତ୍ୟ । କୋଲାପୁରସ୍ଥିତ ନିଜ ଜମିରେ ଥିବା ଗୁପ୍ତଧନ ପାଇବା ଲାଗି ସତ୍ୟଙ୍କ ସହାୟତା ଲୋଡିଥିଲେ ଭେଙ୍କଟେଶ । ତେବେ ୩ ଜଣ ଗର୍ଭବତୀଙ୍କୁ ବଳି ଦେବା ଲାଗି ସତ୍ୟ ପ୍ରସ୍ତାବ ଦେଇଥିଲା । ମାତ୍ର ଭେଙ୍କଟେଶ ଏହା ମନା କରିବା ସହ ସତ୍ୟକୁ ଦେଇଥିବା ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାକୁ ନେଇ ଭେଙ୍କଟେଶଙ୍କୁ ହତ୍ୟା କରିବା ଲାଗି ସତ୍ୟ ଯୋଜନା କରିଥିଲା । ଗତ ନଭେମ୍ବର ୪ରେ ନାଗାକୁର୍ଣ୍ଣଲକୁ ଭେଙ୍କଟେଶଙ୍କୁ ଡାକି ତାଙ୍କୁ ପ୍ରସାଦ ନାମରେ କିଛି ନିଶାଦ୍ରବ୍ୟ ଦେଇଥିଲା । ଅଚେତ ହୋଇଯାଇଥିବା ଭେଙ୍କଟେଶଙ୍କ ପାଟିରେ ଅଭିଯୁକ୍ତ ଏସିଡ ଢାଳିବା ସହ ଦେହରେ ଏସିଡ ଢାଳିଦେଇଥିଲା ।
ସେହିପରି ୨୦୨୦ରେ ରେଭାଲିରେ ଗୋଟିଏ ପରିବାରର ୪ଜଣଙ୍କୁ ମଧ୍ୟ ହତ୍ୟା କରିଥିଲା। ଏହିପରି ସହ ବିଭିନ୍ନ ପର୍ଯ୍ୟାୟରେ ତେଲଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମୋଟ ୧୧ଜଣଙ୍କୁ ହତ୍ୟା କରିଥିଲା । ଗୁପ୍ତଧନର ପ୍ରଲୋଭନ ଦେଖାଇବା ପରେ ହତ୍ୟାର ଶିକାର ହେଉଥିବା ବ୍ୟକ୍ତିମାନଙ୍କୁ ସେ ବିଷ ଦେଇ ହତ୍ୟା କରୁଥିଲା ବୋଲି ପୋଲିସ ସୂଚନା ଦେଇଛି।

Comments are closed.