Latest Odisha News

ଅଧିକ ପ୍ରୋଟିନ ଖାଉଛନ୍ତି କି ? ହୋଇପାରେ ସାଂଘାତିକ ସମସ୍ୟା

ନୂଆଦିଲ୍ଲୀ : ଗାଜିଆବାଦର ଇନ୍ଦିରାପୁରମରେ ବ୍ୟାୟାମ ସମୟରେ ଜଣେ ଜିମ୍ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ବାଳକଟି ବ୍ୟାୟାମ କରିବା ପୂର୍ବରୁ ପ୍ରୋଟିନ ଶେକ୍ ଖାଇଥିବା ସୂଚନା ମିଳିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ରୋଟିନ୍ ପାଉଡର ନେବା ଉଚିତ। କିନ୍ତୁ ଆଜିକାଲି ଓଜନ ହ୍ରାସ ଏବଂ ଶରୀର ଗଠନ କରିବା ପାଇଁ ବିଶେଷକରି ଯୁବପିଢ଼ି ଏହି ଟ୍ରେଣ୍ଡରେ ପଡିଛନ୍ତି। ତେଣୁ ସେମାନେ ପ୍ରୋଟିନ ଯୁକ୍ତ ଖାଦ୍ୟ ଏବଂ ସପ୍ଲିମେଣ୍ଟ ସେବନ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ପ୍ରୋଟିନ ଖାଇବା ଆମ ଶରୀର ପାଇଁ ହୋଇପାରେ ଘାତକ ? ଅତ୍ୟଧିକ ପରିମାଣର ପ୍ରୋଟିନ୍ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ଗୁରୁତର କ୍ଷତି ହୋଇପାରେ। ତେବେ ଆସନ୍ତୁ ଜାଣିବା, ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା କ’ଣ କ୍ଷତି ହୋଇପାରେ ? କେଉଁ ବୟସର ବ୍ୟକ୍ତି କେତେ ପ୍ରୋଟିନ୍ ଖାଇବା ଉଚିତ।

ଏକ ସୁସ୍ଥ ଶରୀର ପାଇଁ ପ୍ରୋଟିନ ବା ପୁଷ୍ଟିସାର ନିହାତି ଜରୁରୀ। ଡାକ୍ତରଙ୍କଠାରୁ ଆରମ୍ଭ କରି ଡାଏଟିସିଆନ୍ ପର୍ଯ୍ୟନ୍ତ, ସମସ୍ତେ ଏହାକୁ ଖାଦ୍ୟରେ ସଠିକ୍ ମାତ୍ରାରେ ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି । ପ୍ରୋଟିନ ଖାଇବା ଦ୍ବାରା ମାଂସପେଶୀ ବୃଦ୍ଧି ସହିତ ଆମର ମେଟାବୋଲିଜିମ ପ୍ରକ୍ରିୟା ଉନ୍ନତ ହୋଇଥାଏ। କିନ୍ତୁ ଅତ୍ୟଧିକ ପ୍ରୋଟିନ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଜିକାଲି କିଛି ଲୋକ ଜିମ୍ ଟ୍ରେନରଙ୍କ ପରାମର୍ଶରେ ପ୍ରୋଟିନ୍ ନେଉଛନ୍ତି। ପ୍ରୋଟିନ୍ ଖାଇବା ଦ୍ୱାରା ଏକ ଭଲ ଶରୀର ଗଠନ ହେବା ସହିତ ଓଜନ ହ୍ରାସ ପାଇବା ନେଇ ସେମାନେ ଭାବିଥାନ୍ତି। ଅତ୍ୟଧିକ ପ୍ରୋଟିନ୍ ଖାଇବା ଓଜନ ବୃଦ୍ଧି, ବୃକକ୍ ସମସ୍ୟା ଏବଂ ହାଡ଼ ଦୁର୍ବଳ କରିପାରେ। ତେଣୁ, ସନ୍ତୁଳିତ ପରିମାଣରେ ପ୍ରୋଟିନ ଖାଇବା ଉଚିତ।

ଗବେଷଣାରୁ ଜଣାପଡିଛି, ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କର ହାଡ଼ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଅତ୍ୟଧିକ ପ୍ରୋଟିନ୍ ଖାଇବା ଦ୍ୱାରା ଶରୀରରୁ କ୍ୟାଲସିୟମ୍ କମିବା ଦ୍ବାରା ଅଷ୍ଟିଓପୋରୋସିସ୍ ଭଳି ହାଡ଼ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢ଼ିଥାଏ। ପାଚନ ପ୍ରକ୍ରିୟାରେ ପ୍ରଭାବ ପକାଇଥାଏ ପ୍ରୋଟିନ। ଅଧିକ ପ୍ରୋଟିନ୍ ଖାଦ୍ୟ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ପେଟ ଫୁଲିବା ଏବଂ ଗ୍ୟାସ୍ ଭଳି ସମସ୍ୟା ଦେଖା ଦେଇପାରେ।

ଅନ୍ୟପଟେ ଅଧିକ ପ୍ରୋଟିନ୍ ସେବନ ଦ୍ବାରା କ୍ୟାଲୋରୀ ମଧ୍ୟ ବୃଦ୍ଧି ପାଏ। ବ୍ୟାୟାମରେ ଅବହେଳା କରାଗଲେ, ଏହା ଶରୀରରେ ଚର୍ବି ଆକାରରେ ଜମା ହେବା ଆରମ୍ଭ କରିବା ସହିତ ଓଜନ ବୃଦ୍ଧି କରିଥାଏ। ସେହିପରି ଅତ୍ୟଧିକ ପ୍ରୋଟିନ୍ ଖାଇବା ଦ୍ଵାରା ବୃକକ୍ ଉପରେ ଚାପ ବଢ଼ିଥାଏ।ଫଳରେ ବୃକକ୍ ପଥର ହେବାର ଆଶଙ୍କା ବଢିଥାଏ। କେବଳ ଏତିକି ନୁହେଁ, ଅତ୍ୟଧିକ ପ୍ରୋଟିନ୍ ଖାଇବା ଦ୍ୱାରା ଶରୀରରେ ପ୍ଲାକ୍ ଜମା ହୁଏ। ଏହା ଦ୍ଵାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ । ଫଳରେ ଏହା ହୃଦଘାତ ଏବଂ ଷ୍ଟ୍ରୋକ ଭଳି ମାରାତ୍ମକ ରୋଗର ଆଶଙ୍କା ବୃଦ୍ଧି କରିଥାଏ ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.