ବାଲେଶ୍ୱର: ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଦେଇଛନ୍ତି ଇସ୍ତଫା। ଉଭୟ ସଭାପତି ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଧାୟିକା ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ଦଳ ଛାଡ଼ିଲେ।
ବସ୍ତାରେ ଭୁଶୁଡ଼ିଲା ବିଜେଡି ଗଡ଼। ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା। ତିନି ତିନି ଥରର ବ୍ଲକ ସଭାପତି ଅନୀଲ କୁମାର ମହାନ୍ତିଙ୍କ ଇସ୍ତଫା। ସୁବାସିନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ଦଳ ଛାଡ଼ିଥିଲେ ଅନୀଲ ମହାନ୍ତି। ୧୯୮୫ରୁ ଅନିଲ ମହାନ୍ତି ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଆସୁଥିଲେ । ତିନି ତିନି ଥର ବ୍ଲକ ସଭାପତି ଦାୟିତ୍ୱରେ ରହିଥିଲେ ।
ସୂଚନା ଥାଉକି ଶନିବାର ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଚିଠି ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ନିଲମ୍ବନ କରିଛନ୍ତି। ଦଳରୁ ନିଲମ୍ବିତ ହୋଇଥିବା ୬ ଜଣ ବିଜେଡ଼ି ବିଧାୟକ ହେଲେ ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀ ।
ଦଳବିରୋଧୀ କାର୍ଯ୍ୟକଳାପ ଓ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କାରଣରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଆଜି ସନ୍ଧ୍ୟାରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ବିଧାୟିକା ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।