ନୂଆଦିଲ୍ଲୀ: ଅମିତ ଶାହାଙ୍କ ବୟାନ ଝଡ଼ । ସଂସଦରେ ବିକ୍ଷୋଭ, ଜବାବି ବିକ୍ଷୋଭ । ସାଂସଦଙ୍କ ଠେଲାପେଲା, ପ୍ରତାପ ଷଡ଼ଙ୍ଗୀ ଆହତ । ପାର୍ଲାମେଣ୍ଟ ଇତିହାସର ବ୍ଲାକ୍ ଥର୍ସ ଡେ । ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ବିରୋଧ କରି କଂଗ୍ରେସ ସହ ସବୁ ବିରୋଧୀ ଦଳ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ବିଜେପି ସାଂସଦ ମଧ୍ୟ ଆମ୍ବେଦକରଙ୍କୁ କଂଗ୍ରେସ ଅସମ୍ମାନ କରିବା ବିରୋଧରେ ବିକ୍ଷୋଭ କରୁଥିଲେ । ଉଭୟ ଶାସକ ଓ ବିରୋଧୀ ସାଂସଦଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏଥିରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି । ଉଭୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସେମାନଙ୍କୁ ଧକ୍କା ଦେଇଥିବା ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ଖଣ୍ଡନ କରିଛି କଂଗ୍ରେସ । ବିଜେପି ରାହୁଲ ଗାନ୍ଧୀଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛି ତ ବିଜେପି ସାଂସଦଙ୍କ ବିରୋଧରେ ଆକ୍ସନ ନେବାକୁ ବାଚସ୍ପତିଙ୍କୁ ନିବେଦନ କରିଛି କଂଗ୍ରେସ ।
ଠେଲିଦେଲେ ରାହୁଲ ଗାନ୍ଧୀ !
ଠେଲାପେଲାରେ ଆହତ ହୋଇଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଶିଡି ପାଖରେ ପ୍ରତାପ ଷଡ଼ଙ୍ଗୀ ଠିଆ ହୋଇଥିଲେ । ସେହି ସମୟରେ ରାହୁଲ ଗାନ୍ଧୀ ଆସି ଅନ୍ୟ ଜଣେ ସାସଂଦଙ୍କୁ ଧକ୍କା ଦେଇଥିଲେ । ସେହି ସାଂସଦ ତାଙ୍କ ଉପରେ ପଡିଯିବାରୁ ସେ ଖସି ପଡିଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ପ୍ରତାପ ଷଡ଼ଙ୍ଗୀ ପଡିଯିବା ପରେ ରାହୁଲ ଗାନ୍ଧୀ ତାଙ୍କୁ ଦେଖିବାକୁ ଆସିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ବିଜେପି ସାଂସଦ ତାଙ୍କ ଉପରେ ବର୍ଷିବା ସହ ନାରାବାଜି କରିଥିଲେ । ଆହତ ସାଂସଦଙ୍କୁ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସହ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ।
କ’ଣ କହିଲେ ରାହୁଲ ?
ପ୍ରତାପ ଷଡ଼ଙ୍ଗୀଙ୍କ ଅଭିଯୋଗ ପରେ ବିଜେପି ସାଂସଦଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ସେତେବେଳେ ସଂସଦ ପରିସରରେ ଯାହା ହୋଇଥିଲା ସବୁ କିଛି କ୍ୟାମେରାରେ କଏଦ ହୋଇ ରହିଛି । ରାହୁଲ ସଂସଦ ଭିତରକୁ ଯିବା ବେଳେ ତାଙ୍କୁ ବିଜେପି ସାଂସଦ ଅଟକାଇବା ସହ ଧମକ ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଧକ୍କା ଦେଇଥିଲେ । ସଂସଦ ଭିତରକୁ ଯିବା ତାଙ୍କର ଅଧିକାର । ହେଲେ ତାଙ୍କୁ ରୋକିବାକୁ ଉଦ୍ୟମ କରାଯାଇଥିଲା ବୋଲି ରାହୁଲ ଗାନ୍ଧୀ ପାଲଟା ଅଭିଯୋଗ କରିଛନ୍ତି ।
ଖଡଗେଙ୍କ ଆଣ୍ଠୁରେ ଆଘାତ
ରାହୁଲଙ୍କ ଧକ୍କାରେ ଦୁଇ ବିଜେପି ସାଂସଦ ଆହତ ଅଭିଯୋଗ ହୋଇଥିବା ବେଳେ ବିଜେପି ସାଂସଦ ଧକ୍କା ମାରିବା ନେଇ ବାଚସ୍ପତି ଓମ ବିର୍ଲାଙ୍କୁ ଅଭିଯୋଗ କରିଛି କଂଗ୍ରେସ । ଇଣ୍ଡିଆ ବ୍ଲକର ସାଂସଦମାନେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବା ସହ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିଠାରୁ ମକରଦ୍ବାର ଆଡକୁ ମାର୍ଚ୍ଚ କରୁଥିଲେ । ତେବେ ସେମାନଙ୍କୁ ସଂସଦ ଭିତରକୁ ପ୍ରବେଶ କରିବା ବେଳେ ରୋକା ଯାଇଥିଲା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୩ଜଣ ବିଜେପି ସାଂସଦ ଧକ୍କା ମାରିଥିବା କଂଗ୍ରେସ ଅଭିଯୋଗ କରିଛି । ସେହିପରି ଠେଲାପେଲା ଯୋଗୁଁ ମଲ୍ଲିକାର୍ଜୁନ ଖଡଗେ ବାଧ୍ୟ ହୋଇ ତଳେ ବସି ପଡିଥିଲେ । ଅସ୍ତ୍ରୋପଚାର ହୋଇଥିବା ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି ।
ଶାହାଙ୍କ କେଉଁ ମନ୍ତବ୍ୟକୁ ବିରୋଧ?
ସୋମବାର ସମ୍ବିଧାନ ଉପରେ ଦୁଇ ଦିନିଆ ବିତର୍କ ଶେଷ କରିବା ଅବସରରେ ଅମିତ ଶାହାଙ୍କ ଅଭିଭାଷଣକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ବିରୋଧୀ । ଆମ୍ବେଦକର କହିବା ଏବେ ଫ୍ୟାସନ ହୋଇଯାଇଛି । ଏତେଥର ଭଗବାନଙ୍କ ନାଁ ନେଲେ ସେମାନେ ସ୍ବର୍ଗରେ ସ୍ଥାନ ପାଇଥାନ୍ତେ କହିଥିଲେ ଅମିତ ଶାହା । ଏଭଳି ବୟାନକୁ ଜୋରଦାର ବିରୋଧ କରିଛନ୍ତି ବିପକ୍ଷ ଦଳ । କ୍ଷମା ପ୍ରାର୍ଥନା କରିବା ସହ ଅମିତ ଶାହା ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏହାକୁ ନେଇ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ତ ବିଜେପି ସାଂସଦ ମଧ୍ୟ ଆମ୍ବେଦକରଙ୍କୁ କଂଗ୍ରେସର ଅସମ୍ମାନକୁ ନେଇ ବିକ୍ଷୋଭ ମାର୍ଚ୍ଚ କରୁଥିଲେ । ଫଳରେ ସଂସଦ ପରିସରରେ ଠେଲାପେଲା ହୋଇଥିଲା ।